କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ) "ସୁସ୍ଥ ନାରୀ ସଶକ୍ତ ପରିବାର " ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋରଞ୍ଜନ ରାଉତଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |ଏହି ଅଭିଯାନ ଆଜି ଠାରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ଅଭିଯାନରେ ସବୁ ଵର୍ଗର ମହିଳାଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ | ଏହି ଅଭିଯାନରେ ଅଣସଂକ୍ରାମକ, ଯକ୍ଷ୍ମା,ରକ୍ତହୀନତା,ସିକିଲସେଲ ଓ ଥାଲାସେମିଆ ଆଦି ରୋଗର ଚିହ୍ନଟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ବୟସାନୁଯାୟୀ ଟୀକାକରଣ କରାଯିବ | ତତସହିତ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ଏବଂ ଖାଦ୍ୟରେ ତେଲ, ଚିନି କମ କରିବା ଉପରେ ସଚେତନ କରାଯିବ | ଏହା ସହିତ ଏହି ଅଭିଯାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ | ଆଜିଠାରୁ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିବ | ରାଜନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳ ଜଣେ ଯକ୍ଷ୍ମା ରୋଗୀକୁ ପୁଷ୍ଟିକର ପ୍ୟାକେଟ ପ୍ରଦାନ କରିଛନ୍ତି | ବହୁ ସଂଖ୍ୟାରେ ମହିଳା ଏହି ଅଭିଯାନରେ ନିଜକୁ ସାମିଲ କରି ସୁସ୍ଥ ରହିବା ସହ ପରିବାରକୁ ସଶକ୍ତ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି | ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ବେଳେ ସାଙ୍ଗରେ ଆଧାର କାର୍ଡ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି |
ରାଜ୍ୟ
ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ "ସୁସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ।
- Hits: 2