ରାଉରକେଲା:(ବସନ୍ତ ଜେନା,ରାଉରକେଲା ବ୍ୟୁରୋ)ରାଉରକେଲା ସହରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି।ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ ଚାଲିଥିବା 'ଜଳସାଥୀ' କାର୍ଯ୍ୟକ୍ରମ ରାଉରକେଲାରେ ଆରମ୍ଭ କରାଯାଇଛି।ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନ ଦିବ୍ୟଜ୍ୟୋତୀ ପରିଡା ଏହାର ଶୁଭାରମ୍ଭ କରିଛନ୍ତି।
ଏହି 'ଜଳସାଥୀ' କାର୍ଯ୍ୟକ୍ରମରେ ୨୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଲେଖାଏଁ ସଦସ୍ୟାଙ୍କୁ ସାମିଲ କରାଯାଇଛି।ଏଣିକି ସେମାନେ ବିଭିନ୍ନ ୱର୍ଡକୁ ଉପଭୋକ୍ତାଙ୍କ ନିକଟରେ ପାଣି ବିଲ ପହଞ୍ଚାଇବା ସହ ଡିଜିଟାଲ ପିଓଏସ୍ ମେସିନ ସାହାଯ୍ୟରେ ଜଳଦେୟ ସଂଗ୍ରହ କରିବେ।
ସମସ୍ତଙ୍କ ଘର ଘରେ କିପରି ପାଇପ୍ ଯୋଗେ ପାନୀୟ ଜଳ ପହଂଚି ପାରିବ ସେନେଇ ଜଳସାଥୀ ମାନେ ବ୍ୟବସ୍ଥା କରିବେ।କ୍ୱାଲିଟି ଟେଷ୍ଟିଂ କିଟ୍ ବ୍ୟବହାର କରି ନିୟମିତ ଜଳର ମାନ ପରୀକ୍ଷା କରିବା ସହ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନେବେ ଜଳସାଥୀ।ସବୁଠାରୁ ବଡକଥା ହେଲା ଉପଭୋକ୍ତା ଓ ଜଳ ଯୋଗାଣକାରୀ କର୍ତ୍ତୃପକ୍ଷଙ୍କ ଭିତରେ 'ଜଳସାଥୀ' ଏକ ସେତୁ ଭଳି କାର୍ଯ୍ୟ କରିବେ।
ରାଜ୍ୟର ୧୪୪ଟି ସହରାଞ୍ଚଳରେ ଲୋକଙ୍କୁ ୨୪/୭ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।ତେଣୁ ପାନୀୟ ଜଳ ପରିଚାଳନା ଭଳି ଏକ ଗୁରୁତ୍ୱପୁର୍ଣ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରି ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରାଯାଉଛି।
ରାଉରକେଲାର ୨୯ ଜଣ ଜଳସାଥୀଙ୍କୁ ଆଜି ସ୍ୱତନ୍ତ୍ର ୟୁନିଫର୍ମ ଦିଆଯିବା ସହିତ ଜଳର ମାନ ପରୀକ୍ଷା ପାଇଁ କିଟ୍ ଆଦି ପ୍ରଦାନ କରାଯାଇଛି। ରାଉରକେଲା ମହାନଗର ଅଧୀନରେ ଥିବା ୪୦ଟି ୱର୍ଡରେ ସେମାନେ ଜନସାଧାରଣଙ୍କୁ ଜଳ ସଂରକ୍ଷଣ ଏବଂ ବିଶୁଦ୍ଧ ପାନୀୟ ଜଳର ଉପକାରିତା ଉପରେ ସଚେତନ କରିବେ।
ଆଜିର କାର୍ଯ୍ୟକ୍ରମରେ ଡେପୁଟି କମିଶନର ସୀତାଦେବୀ ମାଝୀ, ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଦିଲ୍ ମହମ୍ମଦ, ଉପଖଣ୍ଡ ଅଧିକାରୀ ସୁବାଷ ଚନ୍ଦ୍ର ରାଉତ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
'ଜଳସାଥୀ' କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଏଡ଼ିଏମ ତଥା ମୁନିସିପାଲ କମିଶନର ଦିବ୍ୟଜ୍ୟୋତି ପରିଡା।
- Hits: 310