ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦୁର୍ଘଟଣା ଗ୍ରସ୍ତ ମାନଙ୍କୁ ତ୍ୱରିତ ଚିକିତ୍ସା ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ମନୋଜ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ରକ୍ଷକ ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଆଲୋକପାତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେବା ସହିତ ପ୍ରଶିକ୍ଷଣ ଶିବିର ଉପରେ ଆଲୋକପାତ କରିଥିଲେ। ଦୁର୍ଘଟଣାଗ୍ରସ୍ତଙ୍କ ତୁରନ୍ତ ସହାୟତା ମିଳିଲେ ବା ଦୁର୍ଘଟଣା ଘଟିବାର ଏକ ଘଣ୍ଟା ମଧ୍ୟରେ ଚିକିତ୍ସା ସହାୟତା ପାଇଲେ ଦୁର୍ଘଟଣା ଜନିତ ମୃତ୍ୟୁହାର କିମିବ ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଡି. ଏସ. ପି. ଡି. ଆଇ. ବି. ପ୍ରଦୀପ କୁମାର କେରକେଟା ମଧ୍ୟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ତରଫରୁ ରକ୍ଷକ ମାନଙ୍କୁ ଦିଆଯାଉଥିବା ପୁରସ୍କାର Good Samaritan ର ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ମଟର ଯାନ ନିରକ୍ଷକ ଗୋଲାପ ଚନ୍ଦ୍ର ହାଁସଦା, ଏ. ଏସ. ଡି. ସି. ପ୍ରଶିକ୍ଷକ ଡ. ବିକ୍ରମ ମହାନ୍ତି, ଅଭିଷେକ ସିଂ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।











