ଡିବିରି ଆଲୁଅରେ ଦେଶର ଭବିଷ୍ୟତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଗାଁରେ ନାହିଁ ବିଜୁଳି ଆଲୁଅ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳର ଘରେ ଘରେ ବିଜୁଳି ଆଲୁଅ ଯୋଗାଇବା ପାଇଁ ସରକାର ମାଳମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ମନୋବୃତି ଯୋଗୁଁ ଅନେକ ଗାଁକୁ ସଂଯୋଗ ହୋଇପାରୁନି ବିଦ୍ୟୁତ୍ ସେବା ।ଫଳରେ ଡିବିରି ଆଲୁଅରେ ଗ୍ରାମାଞ୍ଚଳର ଭବିଷ୍ୟତ । ବିଜୁଳି ଆଲୁଅ ନଥିବାରୁ ପିଲାମାନେ ଡିବିରି ଆଲୁଅରେ ପଢୁଛନ୍ତି ପାଠ।
ଏପଟେ ଗ୍ରାମରେ ମାଳ ମାଳ ବିଦ୍ୟୁତ୍ ଖୁଣ୍ଟି ପୋତା ଯାଇଛି । ଟ୍ରାନ୍ସଫର୍ମର ମଧ୍ୟ ଲଗାଯାଇଛି । ତାର ମଧ୍ୟ ଟଣା ଯାଇଛି। ଘରେ ଘରେ ନାମକୁ ମାତ୍ର ମିଟର ଓ ସୁଇଚ୍ ବୋର୍ଡ ଖଞ୍ଜା ଯାଇଛି । ହେଲେ ଦୁର୍ଭାଗ୍ୟର କଥା ବର୍ତ୍ତମାନ ସୁଦ୍ଧା ଗାଁକୁ ସଂଯୋଗ ହୋଇପାରୁନି ବିଜୁଳି ସଂଯୋଗ । କାଗଜ କଲମରେ ବିଦ୍ୟୁତ୍ ସଂଯୋଗୀକରଣ ସରିଯାଇଥିବା ବେଳେ ଏବେବି ଅନ୍ଧାରରେ ୨୦ ରୁ ଅଧିକ ଆଦିବାସୀ ଓ ଦଳିତ ପରିବାର । ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ଜାମଢିଅ ଗାଁର । ଏଠାରେ ୨୦ରୁ ଅଧିକ ଆଦିବାସୀ ଓ ଦଳିତ ବର୍ଗର ପରିବାର ବସବାସ କରୁଥିବା ବେଳେ ଚାଷ ବେଉସା ଓ ଦିନ ମଜୁରୀ କରି ଏମାନେ ଜୀବନ ଯାପନ କରନ୍ତି । ଏହି ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟି ପୋତାଯାଇଛି ତାର ମଧ୍ୟ ଟଣାଯାଇଛି ହେଲେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ ସଂଯୋଗ ହୋଇପାରିନି। ଡିବିରି ଆଲୁଅରେ ପିଲା ପଢୁଛନ୍ତି ପାଠ । କାରଣ ହେଉଛି ଏହି ଗାଁକୁ ବିଜୁଳି ସଂଯୋଗ ପାଇଁ ୨୦୧୭ ମସିହାରେ ଜଣେ ଠିକାଦାର କାମ ନେଇଥିଲେ । ଗ୍ରାମବାସୀମାନେ ମିଳିତ ଭାବେ ମାଗଣା ଶ୍ରମଦାନ କରି ସେମାନଙ୍କୁ ଖାଦ୍ୟ ଓ ପାନୀୟ ଦେବା ସହ ଘରେ ଘରେ ମିଟର ଖଞ୍ଜିବା ପାଇଁ ୩ ଶହ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଗ୍ରାମବାସୀଙ୍କ ବିଜୁଳି ଆଲୁଅ ଦେଖିବାର ସ୍ୱପ୍ନ ଯେମିତି ଅଧୁରା ରହିଗଲା। ଠିକାଦାର କାମକୁ ଅଧାପନ୍ତରିଆ ଅବସ୍ଥାରେ ଛାଡି ଦେଇ କେଉଁ ଆଡେ ଉଭାନ୍ ହୋଇଗଲେ ।
ତା 'ପରଠାରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ବିଦ୍ୟୁତ୍ ଉପକରଣ କେଉଁଠି ମାଟିରେ ପୋତି ହୋଇଗଲାଣି ତ କେଉଁଠି ଲଟାବୁଦା ମାଡିଗଲାଣି । ଆଉ କେଉଁଠି ରାସ୍ତା କଡରେ ପରିତ୍ଯକ୍ତ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟି ପଡିରହିଛି । ବର୍ଷ ବର୍ଷ ଧରି ଗ୍ରାମବାସୀ ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ କଥା କେହି ବୁଝୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମର ହରିକୃଷ୍ଣ ପ୍ରଧାନ, ସତ୍ୟବାନ ପ୍ରଧାନ, ନିରଞ୍ଜନ ନାୟକ ଓ ଜିରାଙ୍ଗ ସରପଞ୍ଚ ଟଙ୍କଧର ରଣସିଂ । ଦିନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଘରେ ଘରେ ବିଦ୍ୟୁତ୍ ଉପକରଣ ଖଞ୍ଜା ଯାଇଥିଲେ ବି ଘରକୁ ଆସିପାରୁନି ବିଦ୍ୟୁତ୍ । ବିଦ୍ୟୁତ୍ ସଂଯୋଗ ନାଁରେ ନିରୀହ ଗରିବ ଆଦିବାସୀ ଓ ଦଳିତ ପରିବାରଙ୍କ ଠାରୁ ଟଙ୍କା ଖାଇ ଠିକାଦାର କେଉଁ ଆଡେ ଫେରାର୍ ହୋଇଯାଇଥିବା ବେଳେ ଗାଁ କୁ ବିଦ୍ୟୁତ୍ ସଂଯୋଗ ପାଇଁ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଭୋଟବର୍ଜନ କରିବେ ବୋଲି ଚୁଡାନ୍ତ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଅପରପକ୍ଷେ ଯଥାଶୀଘ୍ର ଜାମଢିଅ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଚନ୍ଦ୍ରଗିରି ବିଦ୍ୟୁତ୍ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ଗୌଡ।

0
0
0
s2sdefault