ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାସିଂ ପଞ୍ଚାୟତର କୁଜାସିଂ ଗ୍ରାମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ସହଯୋଗରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା ସଭା କାର୍ଯ୍ୟକ୍ରମ କୁଜାସିଂ ସରପଞ୍ଚ ଶ୍ରୀ ଜୁବାନ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ , ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍.ଓ.ଡାଃ ଚିନ୍ମୟ ବିଶ୍ୱାଳ , ବିଜେଡି ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପଲ୍ଲଭ ଲୀମା , ଜିଲ୍ଲା ବିଜେଡିର ଶ୍ରୀ ବସନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ ।
ମୁଖ୍ୟତଃ କୁଜାସିଂ ଗ୍ରାମରେ ସ୍ୱାସ୍ଥ୍ୟ-ଶିବିର ଆୟୋଜନ କରିବାର ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ କିଭଳି, କେଉଁପ୍ରକାର ଓ କେତେ ପରିମାଣର ଉପକାର ପାଇବେ ସେ ସମ୍ପର୍କରେ ଉପସ୍ଥିତ ପଞ୍ଚାୟତ ବାସୀଙ୍କୁ ମଞ୍ଚାସୀନ ଅତିଥି ମାନେ ବୁଝାଇ ସଚେତନ କରାଥିଲେ ।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କୁଜାସିଂ ଭଳି ପଞ୍ଚାୟତ ଅଞ୍ଚଳରେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ , ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହାଇଟେକ ମେଡିକାଲ କଲେଜର ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତର ଓ ସେମାନଙ୍କ ଅନ୍ୟାନ୍ୟ ଷ୍ଟାଫ ମାନଙ୍କ ସହଯୋଗରେ ଯୋଗାଇ ଦିଆଯାଇଥିବା ଯୋଗୁଁ କୁଜାସିଂ ସରପଞ୍ଚ ଶ୍ରୀ ଜୁବାନ ଭୂୟାଁ ରାଜ୍ୟ ସରକାରଙ୍କୁ ଭୁୟସୀ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ ।
ଏହି ମେଗା ସ୍ବାସ୍ଥ୍ୟ-ଶିବିର କାର୍ଯ୍ୟକ୍ରମ , ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାଃ ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଡାଃ ଅନୀଲ କୁମାର ଆଚାର୍ଯ୍ୟ , ନାମନଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଏମଓ: ଡାଃ ପି: ସୃତୀ , ଷ୍ଟାଫ ନର୍ସ ଜସ୍ମିତା ଗମାଙ୍ଗ , ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ବିଶ୍ବାଳ , ଏଲ୍ ଟି. ଗୋପେଶ୍ୱର ପାଣିଗ୍ରାହୀ , ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜର ଶିଶୁରୋଗ ବିଶେଷଜ୍ଞ ଡାଃ ପ୍ରବୀଣ ଜେନା , ଅସ୍ଥିଶଲ୍ୟ ବିଭାଗ ଡାଃ ଅଭିନାଶ ନେଗୀ ଏବଂ ଚକ୍ଷୁ ବିଭାଗ ଡାଃ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ କୁଜାସିଂ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୫୦୦ ରୁ ଅଧିକ ରୋଗୀଙ୍କ ଚିକିତ୍ସା ସେବା କରିଥିଲେ। । କାର୍ଯ୍ୟକ୍ରମରେ ରୋଗୀ ମାନଙ୍କୁ ଚିକିତ୍ସା ଓ ପରୀକ୍ଷା ପରେ ଆବଶ୍ୟକ ଔଷଧ ମାଗଣାରେ ଯୋଗାଇ ଦିଆ ଯାଇଥିଲା ।
ରାଜ୍ୟ
ଆଦିବାସୀ ଅଧ୍ୟୁଷିତ କୁଜାସିଂ ଗ୍ରାମରେ ମେଗା ସ୍ବାସ୍ଥ୍ୟ-ଶିବିର ଅନୁଷ୍ଠିତ
- Hits: 316