ହେଡଲାଇନସ୍:

ବିଜେପିର ବିଶାଳ ବିକ୍ଷୋଭ ଶୋଭାଯାତ୍ରା : ଜିଲ୍ଲାର ଦୁଇ ଦୁର୍ନୀତି ଲିପ୍ତ ଅଧିକାରୀଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ସହ ବଦଳି ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଓ ଡ଼ିଆରଡିଏ: ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି , ତେଣୁ ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ସହ ତାଙ୍କୁ ଜିଲ୍ଲାରୁ ତୁରନ୍ତ ବଦଳି କରାଯିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି।
ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବିଭିନ୍ନ ପ୍ଲାକାର୍ଡ ଧରି ଏବଂ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସିଥିଲେ। ପରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ବିକ୍ଷୋଭ ସଭାରେ ପାରଳା ବିଧାୟକ ଶ୍ରୀ ରାଓଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସୀମାଦ୍ରୀ ପ୍ରମୁଖ ଦୁଇ ଅଧିକାରୀଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ କହିଥିଲେ । ସେମାନେ ଦାବିକରି କହିଥିଲେ ଯେ , ଏହି ଦୁଇ ଅଧିକାରୀ ଏଡିଏମ ସଂଗ୍ରାମ ଶେଖର ପଣ୍ଡା ଏବଂ ପିଡ଼ି: ଡ଼ିଆରଡିଏ: ଅନାମ ଚରଣ ପାତ୍ର ଜିଲ୍ଲାରେ କୋଳିଖାଇ ମଞ୍ଜି ପୋତିଲା ଭଳି ଦୀର୍ଘବର୍ଷ ଧରି ଏହି ଜିଲ୍ଲାରେ ବିଭିନ୍ନ ପଦବୀରେ ରହି ଆସିଛନ୍ତି ଏବଂ ପ୍ରମୋସନ ହୋଇମଧ୍ୟ ଏଠାରେ ରହି ଆସୁଛନ୍ତି । ଜିଲ୍ଲାରେ ସେମାନଙ୍କ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି।
ତେଣୁ ସେହି ଦୁଇ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ସହ ସେମାନଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରାଯିବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଉଛି ବୋଲି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ କହିଛନ୍ତି ।
ପରେ ଏକ ପ୍ରତିନିଧି ଦଳ ବିଧାୟକ ଶ୍ରୀ ନାରାୟଣ ରାଓଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ପି.ଲତା , ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅରୁଣୀମା ସାହୁ , ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସିଏଚ ତାରିକେଶ୍ୱରୀ , ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ବାବୁନା ବେହେରା , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ ଜେନା , ଜିଲ୍ଲା ଆଇଟି. ସେଲ ସଭାପତି ଶ୍ରୀ ଇ: ପ୍ରଶାନ୍ତ , ଯୁବନେତା ଶ୍ରୀ କୋଟଲା ଯୁବରାଜ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା , କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ ।

0
0
0
s2sdefault