ହେଡଲାଇନସ୍:

ମେଡିକାଲ କଲେଜ  ୩ ଘଣ୍ଟା ଅନ୍ଧାର, ସହର କଥା କାଇଁ ପଚାର !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ୩ ଘଣ୍ଟା ଅନ୍ଧାର, ରୋଗୀସେବା ବାଧା ପ୍ରାପ୍ତ-

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ଅପରାହ୍ନ ଦେଢ଼ଟାରୁ ହଠାତ୍ ବିଦ୍ୟୁତ ସରବରାହ ବିଛିନ୍ନ ହେବା ସହିତ ଦୁଇ ଦୁଇଟି ଜେନେରେଟର ଅଚଳ ଅବସ୍ଥାରେ ରହିଥିବା କାରଣରୁ ୩ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାର ଭିତରେ ଡ଼ୁବି ରହିଥିଲା । ଫଳରେ ରୋଗୀ ସେବା ଠପ୍ ହୋଇଯାଇଥିଲା । ରୋଗୀ ଦେଖାଇବା ପାଇଁ ଅନ ଲାଇନରେ ଟିକଟ ବୁକିଂଠାରୁ ଆରମ୍ଭ କରି କମ୍ପ୍ୟୁଟର  ଉପରେ ନିର୍ଭର କରୁଥିବା ସମସ୍ତ କାର୍ଯ୍ୟ, ଓପିଡ଼ି, ବର୍ହିବିଭାଗ, ଇସିଜି, ଏଳ୍ସରେ ଆଦି ବିଭିନ୍ନ ବିଭାଗ ଅଚଳ ହୋଇପଡ଼ିଥିଲା । ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନଙ୍କର ଦୁଃଖ ଦୁର୍ଦ୍ଧଶା ପ୍ରତି ନା ହସପିଟାଲ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ ବିଭାଗର ନିଘା ନାହିଁ କି ପଘା ନଥିବାର ପରିଲକ୍ଷିତ ହୋଇଥିଲା । ବାରିପଦା ପୌରପରିଷଦର ରଘୁନାଥପୁର ଅଞ୍ଚଳର ପ୍ରଭାସ ଦାସଙ୍କ ଅଭିଯୋଗ ଆଧାରରେ ଆଜି ତାଙ୍କର ଏକ ହାତ କଙ୍କିଯାଇଥିବା ସମ୍ପର୍କୀୟକୁ  ହସପିଟାଲକୁ  ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ଆକାଶକୁ ମେଘ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଝରୁଥିଲା । ହସପିଟାଲ ଭିତର କିଟିମିଟି ଆନ୍ଧାର ରହିଥିଲା । ଏହି ଅନ୍ଧାର ମଧ୍ୟରେ ରୋଗୀର ହାତରେ ଷ୍ଟିଚ କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ହସପିଟାଲରେ ବର୍ହିବିଭାଗରେ ଅପରାହ୍ନ ୫ଟାରେ ବନ୍ଦ ହୋଇଯାଏ । ମାତ୍ର ବିଦ୍ୟୁତ ସରବରାହ ନ ଥିବାରୁ ରୋଗୀମାନେ ଟିକଟ କାଟି ନ ପାରିବା କାରଣରୁ ଡ଼ାକ୍ତରଙ୍କୁ ଦେଖାଇ ନ ପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ । 

               ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟକୁ ୨୪ ଘଣ୍ଟା ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇବା ନାମରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଲାଇନ ଯୋଗାଇ ଦେବା ନାମରେ ବିଦ୍ୟୁତ ବିଭାଗ ପକ୍ଷରୁ ବେଶ କିଛିଦିନ ଧରି ବିଦୁ୍ୟତ୍ କାଟ କରିଥିଲା । ଏବାବଦରେ ମଧ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ ହୋଇଥିଲା । ମାତ୍ର ସ୍ୱତନ୍ତ୍ର ବ୍ୟବସ୍ଥା ଥାଇ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଖରା ହେଉକି ବର୍ଷା ପ୍ରତ୍ୟେକ ଦିନ ବିଭିନ୍ନ ସମୟରେ ବିଦ୍ୟୁତ କାଟର ସମ୍ମୁଖୀନ ହୋଇଆସୁଛି । ସେହିପରି ମହାବିଦ୍ୟାଳୟରେ ଜରୁରୀ ପରିସ୍ଥିତିରେ ବିଦ୍ୟୁତ  ସେବା ଯୋଗାଇ ଦେବା ନିମନ୍ତେ ଦୁଇ ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ରହିଥିଲେ ମଧ୍ୟ ତାହା କୌଣସି କାରଣରୁ ଅଚଳ ଅବସ୍ଥାରେ ରହିଆସୁଥିଲେ ମଧ୍ୟ ଏ ଦିଗରେ କାହାରି ଆଡ଼ ଆଖିରେ ନଜର ନାହିଁ । ତେଣୁ ବାରିପଦା ପିଆରଏମକୁ ସ୍ୱତନ୍ତ୍ର ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ଥାଇ ସଂଯୋଗ ବିଚ୍ଛିନ୍ନ ହେବା ବିଷୟକୁ ନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ନାୟକଙ୍କୁ ତାଙ୍କର ସେଲ ନମ୍ବର ୯୩୪୮୯୦୬୦୯୧ରେ ସମ୍ପର୍କ ସ୍ଥାପନ କରିବାରୁ ଏକ ଆଶ୍ରମ ସ୍କୁଲ ନିକଟରେ  ଥିବା ସବଷ୍ଟେଷନରେ ଫଲଟ ରହିଥିଲା । ଏହାକୁ ଆମ୍ଭେ ସଠିକ୍ ଭାବେ ଧରି ପାରି ନ ଥିଲୁ । ପୁଣି ହସପିଟାଲ ଲାଇନ ସହିତ ଅନ୍ୟ ଉପଭୂକ୍ତାମାନଙ୍କ ଲାଇନକୁ ସଂଯୋଗ କରାଯାଇଛି । ଯାହାଫଳରେ ବିଦ୍ୟୁତ କାଟ ହେଲେ ହସପିଟାଲ ମଧ୍ୟ ଏଥିରେ ଯୋଡ଼ି ହୋଇଯାଉଛି ବୋଲି କହିଥିଲେ । ସେହିପରି ଉଚ୍ଚ କ୍ଷମତା ସମ୍ପନ୍ନ ୨ଟି ଜେନେରେଟର ରହିଥିଲେ ମଧ୍ୟ ହସପିଟାଲରେ ରୋଗୀ ସେବା ବାଧାପ୍ରାପ୍ତକୁ ନେଇ ହସପିଟାଲ ସୁପାରିନଟେଣ୍ଡେଣ୍ଟ ଡ଼ା.ଏନ୍ . ସୋରେନଙ୍କୁ ସେଲ ନମ୍ବର ୯୪୩୯୬୪୨୭୧୧ରେ ଯୋଗାଯୋଗ କରିବାରୁ  ଭୁବନେଶ୍ୱରରେ ରହିଛି । କଣ ହୋଇଛି ଜାଣି ନାହିଁ ବୋଲି କହି ନିଜ ମୁଣ୍ଡରୁ ଅଠା ଖସାଇ ଦେଇଥିଲେ । ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟରେ ରୋଗୀ ସେବା କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଆସୁଥିଲେ ମଧ୍ୟ ଏଥି ପ୍ରତି ନା ସ୍ୱାସ୍ଥ୍ୟ ବିଭାଗ ନଜର ରହିଛି ଅଥବା ଜିଲ୍ଲା ପ୍ରଶାସନର ନଜର ରହିଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନଜୀଙ୍କ ଶାସନରେ ରାଜ୍ୟରେ ବିକାଶର ନାଗରା ବାଜୁଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

 

 

 

 

 

 

 

 

 

0
0
0
s2sdefault