କଟକ-:( ସପ୍ତ ଜ୍ୟୋତି ରାଉଳ) : ବୟସର ଅପରାହ୍ନରେ ପହଞ୍ଚିଲେଣୀ, ୬ ମାସ ଭିତରେ ଆଗପଛ ହୋଇ ଚାଲିଗଲେ ସ୍ବାମୀ ଓ ଝିଅ । ଏବେ ନିଜର ବୋଲି କେହି ନାହିଁ । ବନ୍ଧୁବାନ୍ଧବ , ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରଷା,ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ଜୀବନର ସବୁ ଠାରୁ ଅଠିନ ସମୟରେ ଆପଣାର ଲୋକେ ପରି ଯିଏ ପାଖରେ ଠିଆ ହେଲା ସେ ନିଜ ରକ୍ତର କେହି ନଥିଲା । ପ୍ରିୟ ପରିଜନ କି ଲେଖାଯେଖାର ଦୂର ସଂପର୍କୀୟ ନଥିଲା । ରିକସାବାଲାଟେ , ଯିଏ ଢେର ବର୍ଷ ହେଲାଣି ତାଙ୍କୁ ନବା ଆଣିବାର ସାହାଯ୍ୟ କରୁଥିଲା । ଝିଅ କୁନି କୁନିଟେ ହୋଇଥିବା ବେଳେ ରିକ୍ସାରେ ନେଇଯାଇଥିଲା ସ୍କୁଲ । କେବେ କେଉଁଠି ଯିବାକୁ ହେଲେ ପହଞ୍ଚିଯାଉଥିଲା ଘର ଦ୍ବାରା ମୁହଁରେ । ଅସୁସ୍ଥତା ବେଳେ ଘରେ ପହଞ୍ଚି ଦିଏ ଔଷଧ ।ସ୍ୱାମୀ- ଝିଅ ଯିବା ପରେ ସ୍ତମ୍ଭ ହୋଇଯାଏ ରିକ୍ସାବାଲା ବୁଢ଼ା ।ସେହି ରିକ୍ସାବାଲା ଓ ତା ପରିବାର ହାତକୁ ଟେକିଦେଲେ କଟକ ସହରର ମଧ୍ୟରେ ଥିବା ଅତିମୂଲ୍ୟବାନ ତିନି ମହଲା ଘର, ଆସବାବପତ୍ର, ସୁନା ଅଳଙ୍କାର ... କୋଟିଏରୁ ଅଧିକ ଟଙ୍କାର ସମ୍ପତି । ଏ ହେଉଛି କୋୖଣସି ସିନେମାର କାହାଣୀ ନୁହେଁ । ଏ ଘଟଣା ହେଉଛି ପ୍ରକୃତରେ ସତ୍ୟ ଘଟଣା । କଟକ ସହରର ସୁତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ(ବୟସ 63) ଏମିତିକିଆ ମହତ୍ୱପୂର୍ଣ୍ଣ କାମ କରି, ସାରା କଟକ ସହର ତଥା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ଯାହାକି ସମସ୍ତ ଙ୍କୁ ତାଯୁବ କରି ଦେଇଛି । ମୃତ୍ୟୁ ପର୍ଯ୍ୟନ୍ତ ରିକ୍ସାବାଲା ବୁଢା ସାମଲ ଙ୍କ ପରିବାରର ମେଳରେ ସେମାନଙ୍କ ଭରସାରେ ଦିନ କାଟିବା ପାଇଁ ମନ ସ୍ଥିର କରି ନେଇଛନ୍ତି ମିନତୀ ପଟ୍ଟନାୟକ। ସମ୍ବଲପୁର ର ଝିଅ ମିନତୀ ପଟ୍ଟନାୟକ ବାହା ହୋଇଥିଲେ କଟକ ସୁତାହାଟ ଅଂଚଳରେ । ବେଶ ସ୍ୱଚ୍ଛ ପରିବାର ତାଙ୍କର ହେଲେ ବର୍ଷକ ଭିତରେ ସବୁ ବଦଳି ଯାଇଥିଲା ତାଙ୍କ ପାଇଁ। ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ୨୦୨୦ ମସିହାରେ ଦେହାନ୍ତ ହୋଇଯାଇଥିଲା । ଝିଅ କୋମଲ କୁମାରୀ ପଟ୍ଟନାୟକ ଙ୍କ ମୁହଁକୁ ଚାହିଁ ବାକି ଜୀବନ ବିତାଇ ଦେବେ ବୋଲି ଭାବିଥିଲେ । ଝିଅ ବିବାହ କରିବ ନାହିଁ ବୋଲି ସ୍ଥିର କରିଦେଇଥିଲା । କିନ୍ତୁ ଦୁର୍ଭାଗ୍ୟ ସ୍ଵାମୀ ଙ୍କର ମୃତ୍ୟୁ ର ଛଅ ମାସ ପରେ ଝିଅ କୋମଲ ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଲା । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଲେ ମିନତୀ । ତିନି ମହଲା ବିଶିଷ୍ଟ ଏତେ ବଡ଼ ଘରେ ଏକୁଟିଆ ଅସହାୟ ଭାବରେ ଦିନ କଟିଲେ ମିନତୀ । ବନ୍ଧୁ ବାନ୍ଧବ ସମ୍ପର୍କୀୟ କେହି ପଚାରିଲେ ନାହିଁ ।କିଏ କିଏ ଆସି କେବଳ ସମବେଦନା ଜଣାଇ ନିଜ ବାଟରେ ଫେରିଗଲେ । ଏ ଅପରାହ୍ନ ସମୟରେ ରିସ୍କା ଚାଳକ ବୁଢା ସାମଲ ମିନତୀ ଙ୍କ ପାଖରେ ଠିଆ ହେଲେ ।ପଟ୍ଟନାୟକ ପରିବାର ସହ ସାମଲ ବୁଢାର ସମ୍ପର୍କ ଦୀର୍ଘ ବର୍ଷର । ଘରର ବୋଲ ହାକ କରି ଦିଅନ୍ତି । ଝିଅ କୁ ସ୍କୁଲ ନେବା ଆଣିବା ଠାରୁ ଆରମ୍ଭ କରି କୃଷ୍ଣ କୁମାର ଙ୍କ ଔଷଧ ଆଣିବା କରି ଆସୁଥିଲେ । ମୋ ସ୍ୱାମୀ - ମୋ ଝିଅ ଯିବାପରେ କେବଳ ବୁଢା ନୁହନ୍ତି ତାଙ୍କ ସ୍ତ୍ରୀ ବୁଟି ମଧ୍ୟ ମୋର ଯତ୍ନ ନେଲେ, ସାହାରା ହେଲା, ସେବା ମଧ୍ୟ କଲେ । ବୁଢା ସାମଲ କଟକର ସିଧେଶ୍ୱର ସାହିରେ ଭଡାଘରେ ରହୁଥିଲେ । ତାଙ୍କର ଗୋଟିଏ ବାହା ହୋଇଯାଇଥିବା ବେଳେ, ଦୁଇ ପୁଅ ସ୍ତ୍ରୀକୁ ନେଇ ପରିବାର । ଆଜକୁ ତିନିମାସ ତଳେ ହଟାତ ଦିନେ ମିନତୀ , ବୁଢା ପରିବାର ଙ୍କୁ ସୁତାହାଟ ଘରେ ରଖିଲେ । ଗଲା ତିନି ମାସ ଧରି ବୁଢ଼ାଙ୍କ ପରିବାର ମିନତୀ ଙ୍କ ଘରେ ରହି ଆସୁଛନ୍ତି ।ବୁଢା ଓ ତାଙ୍କ ପରିବାର ସଦସ୍ୟ ଙ୍କ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ସେବା ଯତ୍ନରେ ମିନତୀ ଏତେ ଖୁସି ହୋଇ ଗଲେ ଯେ । ନିଜର ଏହି କୋଟିଏ ଟଙ୍କାର ସମ୍ପତି ବୁଢା ପରିବାର କୁ ଦେବାକୁ ନିଷ୍ପତ୍ତି ନେଇଗଲେ । ମିନତୀ ନାମରେ ଥିବା ପ୍ରାୟ ଏକଗୁଣ୍ଠ ଜମି , ତିନି ମହଲା ଘର, ଅନ୍ୟାନ୍ୟ ସମ୍ପତି ରିକ୍ସାବାଲା ସାମଲ ଙ୍କ ନାମ ରେ ଲେଖିଦେଲେ। ଓକିଲ ଙ୍କ ଉପସ୍ଥିତ ରେ ଗତକାଲି ସମସ୍ତ କାଗଜ ପତ୍ର କୁ ସେ ବୁଢ଼ାଙ୍କ ହସ୍ତାନ୍ତର କରିଛନ୍ତି । ଏ ସମ୍ପର୍କରେ ମିନତୀ କହିଛନ୍ତି ବୁଢ଼ାଙ୍କ ପରିବାରରୁ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା ,ଭଲ ପାଇବା ମିଳିଛି, ତାହା ଆଗରେ ଏ ସମ୍ପତ୍ତି ତୁଚ୍ଚ । ଭଲ ମନ୍ଦରେ ଏହି ପରିବାର ମୋ ସହ ସବୁବେଳେ ଠିଆ ହୋଇଛି । ଯେଉଁ ସମର୍ପକୀୟ ମାନେ ସମ୍ପର୍କର ମୂଲ୍ୟବୋଧ ବୁଝି ନାହାଁନ୍ତି, ସେଠି ଏ ଗରିବ ପରିବାର ଟି ମୋ ଦୁଃଖ ବୁଝିଛନ୍ତି। ଶେଷ ଜୀବନ ତକ ଏମାନଙ୍କ ପାଖରେ ବିତାଇ ଏ ଦୁନିଆରୁ ବିଦାୟ ନେବି। ଏ ନେଇ ରିକ୍ସାବାଲା ବୁଢା କହିଛନ୍ତି ମୋ ଭଳି ଜଣେ ଗରିବ ଖଟିଖିଆ ମଣିଷ କୁ ଏ ସବୁ ମିଳିବ ନିଶ୍ଚିତ ଭାବରେ ଚମତ୍କାର । କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲି । ଏ ଜନ୍ମରେ ରିକ୍ସା ଚଳେଇ ଏତେ କଷ୍ଟ କଲାପରେ ଭଗବାନ ମୋତେ ଆଜି କୋଟିପତି କରିଛନ୍ତି । ପଟ୍ଟନାୟକ ପରିବେଶ ସହ ଦୀର୍ଘ ବର୍ଷ ଧରି ରହି ଆସିଛି । ତେଣୁ ମା ମିନତୀ ଙ୍କ ବଳକା ଜୀବନର ସେବା ଦାୟିତ୍ୱ ମୁ ଓ ମୋ ପରିବାର ବର୍ଗ ନେଉଛୁ । ଆଜିର ଦୁନିଆ ରେ ଯେଉଁଠି ଆପଣର ଲୋକଙ୍କ ମୁହଁକୁ କେହି ଚାହୁଁ ନାହାଁନ୍ତି ସେଠି ସମ୍ପର୍କର ଏକ ନୂଆ ପରିଭାଷା ତିଆରି କରିଛନ୍ତି ମିନତୀ ପଟ୍ଟନାୟକ । ଯାହା କେବେ ମୁ ଓ ମୋ ପରିବାର କେବେବି ଭୁଲି ପାରିବେନି ଏ କଥା ରିକ୍ସାବାଲା ସାମଲ କହିଛନ୍ତି ।
ରାଜ୍ୟ
ରିକ୍ସାବାଲାଙ୍କ ନାମରେ କୋଟିଏ ଟଙ୍କାର ସମ୍ପତ୍ତି ଲେଖିଦେଲେ
- Hits: 323