ପୁରୀ/ଭୁବନେଶ୍ଵର-(ଶାସକ ପ୍ରଶାସକ): ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ଵାଗତ କରାଯାଇଛି । ଏହି ମଶାଲ ଆଜି ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି. ରାମାସ୍ଵାମୀ ପ୍ରମୁଖ ପାଛୋଟି ନେଇଥିଲେ । ଭାରତୀୟ ଯବାନ ମାନଙ୍କ ବୀରତ୍ଵ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ । ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ୱେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ଵବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ଵ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ଵାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଭାରତୀୟ ସେନା ୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନର ସ୍ମୃତି ଉଦ୍ଦେଶ୍ୟରେ ଏହାର ସ୍ଵର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ପ୍ରତିବର୍ଷ ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନା ପକ୍ଷରୁ ସ୍ଵର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ଵର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି । ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ଵର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ଆଜି ଆସି ପୁରୀରେ ପହଞ୍ଚିଥିଲା । ପ୍ରାରମ୍ଭରେ ଅତିଥି ମାନେ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ବ୍ଲୁ ଫ୍ଲାଗ ବେଳାଭୂମିରେ ନିର୍ମିତ ବାଲୁକା କଳା ଦେଖିଥିଲେ । ଦଶଭୂଜା ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅତିଥିମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଏହି ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସ୍ଵାଗତ କରାଯାଇଥଲା । ଅଧ୍ୟକ୍ଷା ଡଃ ସୁଜାତା ମିଶ୍ରଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଏନସିସି, ରେଡକ୍ରସ ଓ ଏନଏସଏସ ସ୍ଵେଚ୍ଛାସେବୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ ।
ରାଜ୍ୟ
ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ
- Hits: 310