ଭୀମ ଭୋଇ ମେଡିକାଲ ପରିଦର୍ଶନ କଲେ ସଙ୍ଗୀତା : ଅବ୍ୟବସ୍ଥା ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଦେଲେ ୭ ଦିନର ମହଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ସମୀକ୍ଷା ବୈଠକ ପରେ ଭୀମ ଭୋଇ ମେଡିକାଲକୁ ପରିଦର୍ଶନରେ ଯାଇଥିଲେ । ଏମ୍‌ସିଏଚ ବିଲ୍ଡିଂର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଅସଲ ସ୍ଥିତି ପରଖି ଥିଲେ । ସ୍ୱାସ୍ଥ୍ୟ ସେବାରେ ହେଉଥିବା ବିଭିନ୍ନ ଅନିୟମିତତା ଦେଖିବା ପରେ ସମସ୍ତ ଅବ୍ୟବସ୍ଥା ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କୁ ୭ ଦିନର ମହଲତ ଦେଇଛନ୍ତି । ତେବେ ଏ ଭିତରେ ଅବସ୍ଥା ନସୁଧୁରିଲେ ସେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛନ୍ତି । ଆଜି ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଥିଲା । ମେଡିକାଲ କଲେଜରେ ସମୀକ୍ଷା ବୈଠକ ସାରିବା ପରେ ସ୍ୱାସ୍ଥ୍ୟସେବାର ଅସଲ ସ୍ଥିତି ପରଖିବାକୁ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ସ୍ଥିତ ଏମ୍‌ସିଏଚ ବିଲ୍ଡିଂ ପରିଦର୍ଶନ କରିଥିଲେ, ଯଦିଓ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରିଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡର ସାଜସଜ୍ଜା କରାଯାଇଥିଲା । କିନ୍ତୁ ସାଂସଦ ସେହି ୱାର୍ଡକୁ ନଯାଇ ହଠାତ ଅନ୍ୟ ୱାର୍ଡଗୁଡିକ ପରିଦର୍ଶନ କରିଥିଲେ । ରୋଗୀଙ୍କ ବ୍ୟାଡ୍‌ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା ବୁଝିଥିଲେ । ରୋଗୀମାନେ ମଧ୍ୟ ସାଂସଦଙ୍କୁ ତାଙ୍କ ଗହଣରେ ପାଇ ବିଭିନ୍ନ ଅସୁବିଧା ବିଷୟରେ ଖୋଲାଖୋଲି ଅଭିଯୋଗ କରିଥିଲେ । ସାଂସଦ ପରିଦର୍ଶନ ସମୟରେ ବିଭିନ୍ନ ସ୍ଥାନରେ ମଇଳା ଓ ପାଣି ଜମି ରହୁଥିବା ସହ ରାଗୀମାନଙ୍କ ପାଇଁ ଥିବା ପରିଶ୍ରାଗାର ଓ ପାଇଖାନାରେ ମଇଳା ଜମି ରହୁଥିବା ବେଳେ ଏହା ସଂପୂର୍ଣ୍ଣ ରୂପେ ବ୍ୟବହାର ଉପଯୋଗୀ ହୋଇ ନଥିବା ଦେଖିବାକୁ ପାଇଥିଲେ । ସେହିପରି ଛଅ ମହଲା ଚଢିବା ପାଇଁ ରୋଗୀ ଉଦ୍ଦେଶ୍ୟରେ ଥିବା ଲିଫ୍ଟ ସବୁବେଳେ ବନ୍ଦ ରହୁଥିବା ନେଇ ରୋଗୀମାନେ ସାଂସଦଙ୍କୁ ଅଭିଯୋଗ କରିଥିଲେ । ପରିଦର୍ଶନରେ ମେଡିକାଲର ଅବ୍ୟବସ୍ଥା ଦେଖି ସାଂସଦ ତୀବ୍ର ଅସନ୍ତୋଷ ପ୍ରକଟ କରିବା ସହ ସମସ୍ତ ବ୍ୟବସ୍ଥା ସୁଧାରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ୭ ଦିନର ମହଲତ ଦେଇଥିଲେ । ପର୍ଯ୍ୟାପ୍ତ ସଫେଇ କର୍ମଚାରୀ ଥିବା ସତ୍ୱେ ମେଡିକାଲ କର୍ତ୍ତୃପକ୍ଷ ମେଡିକାଲକୁ ସ୍ୱଚ୍ଛ ରଖିବାରେ ବିଫଳ ହେଉଛନ୍ତି । ରୋଗୀ ଓ ପରିଜନଙ୍କ ସୁରକ୍ଷା ବଡ ପ୍ରଶ୍ନ ହୋଇ ଉଭା ହୋଇଛି । ସରକାର ଅତ୍ୟାବଶକୀୟ ସୁବିଧା ଯୋଗଇ ଦେବା ସତ୍ୱେ କର୍ତ୍ତୃପକ୍ଷ ଏହାର ଉପେଯାଗ ନକରି ରୋଗୀଙ୍କୁ ସେବା ଯୋଗଇ ପାରୁନାହାନ୍ତି । ମେଡିକାଲ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ଏସବୁ ଅବ୍ୟବସ୍ଥା ନସୁଧାରିଲେ ସେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଉପସ୍ଥିତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଥିଲେ । ତେବେ ସାଂସଦଙ୍କ ମେଡିକାଲ ପରିଦର୍ଶନ କରି ରୋଗୀଙ୍କ ସୁବିଧା ଅସୁବିଧା ପଚାରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ରୋଗୀଙ୍କ ପରିଜନମାନେ ବେଶ୍‌ ପସନ୍ଦ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ସମୟରେ ମେଡିକାଲ କଲେଜ ଡିନ୍‌ ଡା. ସବିତା ମହାପାତ୍ର, ଶିଶୁ ବିଭାଗର ପ୍ରଫେସର ଡା. ଲୀନା ଦାଶ, ମେଡିକାଲ ସୁପାରିନଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକ, ହସପିଟାଲ ମ୍ୟାନେଜର ଡା. ସୁଦୀପ ଦତ୍ତ, ଡା. ପ୍ରତ୍ୟୁଶ ପଟ୍ଟନାୟକ, ସାଂସଦ ପ୍ରତିନିଧି ଆରତୀ ଗୁରୁ ଓ ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault