ରାଉରକେଲା ଇସ୍ପାତ କାରଖାନା ଦ୍ବାରା ପ୍ରଥମଥର ପାଇଁ ହାପ୍ ମାରାଥନ୍ ଘୋଷଣା
ରାଉରକେଲା, (ବସନ୍ତ କୁମାର ଜେନା) : ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (SAIL)ର ଅଳ୍ପତମ ୟୁନିଟ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ପକ୍ଷରୁ ସେଲ୍ ସ୍ଥାପନା ଦିବସ ପାଳନ ଉପଲକ୍ଷେ ଆସନ୍ତା ୨୦୨୬ ମସିହା ଜାନୁଆରୀ ୨୪ ତାରିଖରେ ରାଉରକେଲାରେ ପ୍ରଥମ ଥର ପାଇଁ "ରାଉରକେଲା ହାଫ୍ ମାରାଥନ୍ -୨୦୨୬" ଆୟୋଜନର ଘୋଷଣା କରାଯାଇଛି। ରାଉରକେଲା ସହର ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଶାରୀରିକ ଦକ୍ଷତା, ସାମୁଦାୟିକ ଭାବନା ଏବଂ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ହାପ୍ ମାରାଥନ୍ ଆୟୋଜନ ହେବାକୁ ଯାଉଛି। ଏହି ଗଣଦୌଡର ମୁଖ୍ୟ ବିଷୟବସ୍ତୁ "ସମୃଦ୍ଧି ପାଇଁ ଦୌଡ଼" ରହିଛି। ଉଲ୍ଲେଖନୀୟ ଯେ, ଏହି ମାରଥନର ଦୌଡ଼ ଦୂରତା ଏବଂ ସାମଗ୍ରିକ ଫର୍ମାଟ୍ ଏଆଇଏମଏସ (ଆନ୍ତର୍ଜାତୀୟ ମାରାଥନ୍ ଏବଂ ଦୂରତା ଦୌଡ଼ ସଂଘ) ଏବଂ ବିଶ୍ବ ମାନକ ଅନୁସାରେ ଡିଜାଇନ୍ କରାଯାଇଛି।
ଏହି ପରିପ୍ରେକ୍ଷୀରେ ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ଇଣ୍ଡୋ ଜର୍ମାନ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ହାଫ୍ ମାରାଥନର ଲୋଗୋ, ମାସ୍କଟ୍, ୱେବସାଇଟ୍ ଏବଂ ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଉନ୍ମୋଚନ ରାଉରକେଲା ଅଞ୍ଚଳର ବହୁ ପ୍ରତୀକ୍ଷିତ କ୍ରୀଡା ଇଭେଣ୍ଟଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହା ପ୍ରତିବର୍ଷ ଏକ ରୋମାଞ୍ଚକର ଯାତ୍ରାର ଆରମ୍ଭ କରିବ।
ଉଲ୍ଲେଖନୀୟ ଯେ, ବିଭିନ୍ନ ବୟସ ବର୍ଗ ଏବଂ କ୍ଷମତାରେ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ମାରାଥନରେ ଚାରୋଟି ବର୍ଗ ଅନ୍ତର୍ଭୁକ୍ତ କରାଯାଇଛି।
ପ୍ରଥମ ବର୍ଗରେ ୨୧.୧ କିଲୋମିଟର (ହାଫ୍ ମାରାଥନ୍) - ବୟସ ଗୋଷ୍ଠୀ (୧୮-୪୫) ଅର୍ଥାତ୍ (୪୫ ଏବଂ ତଦୁର୍ଦ୍ଧ)। ଦ୍ବିତୀୟ ଗୋଷ୍ଠୀରେ ୧୦ କିଲୋମିଟର – ପୁରୁଷ ଏବଂ ମହିଳା, ବୟସ ଗୋଷ୍ଠୀ (୧୮-୪୫) ଅର୍ଥାତ୍(୪୫ ଏବଂ ତଦୁର୍ଦ୍ଧ)। ତୃତୀୟ ଗୋଷ୍ଠୀରେ ୫ କିଲୋମିଟର – ପୁରୁଷ ଏବଂ ମହିଳା, ବୟସ ଗୋଷ୍ଠୀ (୧୮ ରୁ ୪୫ ବର୍ଷ) ଅର୍ଥାତ୍ (୪୫ ଏବଂ ତଦୁର୍ଦ୍ଧ)। ଚତୁର୍ଥ ଗୋଷ୍ଠୀରେ ୨ କିଲୋମିଟର – ଦିବ୍ୟାଙ୍ଗ ପ୍ରତିଯୋଗୀ (ମୁକ୍ତ ବର୍ଗ - ସମସ୍ତ ବୟସ ନିମନ୍ତେ) ପ୍ରଯୁଜ୍ୟ।
ମାରାଥନର ବିଭିନ୍ନ ବର୍ଗ ପାଇଁ ଅନଲାଇନ୍ ପଞ୍ଜୀକରଣ ୨୦୨୫ ନଭେମ୍ବର ୦୯ ତାରିଖରୁ ଆରମ୍ଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ମାରାଥନରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ସେଲ୍ କର୍ମଚାରୀ, ସେମାନଙ୍କ ପରିବାର ଏବଂ ଫିଟନେସ୍ ଉତ୍ସାହୀମାନେ ଉତ୍ସାହର ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ ଯେ, ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡ଼ିକରୁ ୨ ହଜାରରୁ ଅଧିକ ଖେଳାଳି ଏହି ମାରାଥନରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।
ଏହି ହାପ୍ ମାରାଥନ୍ ପାଇଁ ସମସ୍ତ ବର୍ଗର ବିଜେତାମାନଙ୍କ ନିମନ୍ତେ ମୋଟ ୭ ଲକ୍ଷ ୭୦ ହଜାର ୮ ଶହ ଟଙ୍କା ପୁରସ୍କାର ରାଶି ରଖାଯାଇଛି। ପ୍ରଥମ ବର୍ଗରେ ୨୧.୧ କିଲୋମିଟର ବର୍ଗରେ ଉଭୟ ବୟସ ବର୍ଗର ପୁରୁଷ ଏବଂ ମହିଳା ପ୍ରଥମ ପୁରସ୍କାର ବିଜେତାଙ୍କୁ ୫୧ ହଜାର ଟଙ୍କା, ଦ୍ଵିତୀୟ ପୁରସ୍କାର ବିଜେତାଙ୍କୁ ୩୧ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୨୧ ହଜାର ଟଙ୍କା ପ୍ରଦାନ କରାଯିବ। ସମାନ ବର୍ଗରେ ପରବର୍ତ୍ତୀ ୫ ଜଣ ବିଜେତାଙ୍କୁ ୧ ହଜାର ଟଙ୍କା ସାନ୍ତ୍ବନାମୂଳକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବା ପାଇଁ ସୂଚନା ଦିଆଯାଇଛି। ସେହିପରି ୧୦ କିଲୋମିଟର ବର୍ଗରେ ଉଭୟ ବୟସ ବର୍ଗର ପୁରୁଷ ଏବଂ ମହିଳା ବର୍ଗର ପ୍ରଥମ ପୁରସ୍କାର ବିଜେତାଙ୍କୁ ୨୧ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ବିଜେତାଙ୍କୁ ୧୧ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୬ ହଜାର ୧୦୦ ଟଙ୍କା ପ୍ରଦାନ କରାଯିବ। ପରବର୍ତ୍ତୀ ୫ ଜଣ ବିଜେତାଙ୍କୁ ୭୫୦ଟଙ୍କାର ସାନ୍ତ୍ବନାମୂଳକ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଦୌଡରେ ଉଭୟ ବୟସ ବର୍ଗର ପୁରୁଷ ଏବଂ ମହିଳା ବର୍ଗର ପ୍ରଥମ ପୁରସ୍କାର ବିଜେତାଙ୍କୁ ୫ ହଜାର ୧୦୦ ଟଙ୍କା, ଦ୍ଵିତୀୟ ପୁରସ୍କାର ବିଜେତାଙ୍କୁ ୩ ହଜାର ୧୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୨ ହଜାର ୧୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ୨ କିଲୋମିଟର ଦୌଡ଼ର ଖୋଲା ବର୍ଗରେ, ପ୍ରଥମ ତିନି ବିଜେତାଙ୍କୁ ୫ ହଜାର ୧୦୦ ଟଙ୍କା ୩ ହଜାର ୧୦୦ ଟଙ୍କା ଏବଂ ୨ ହଜାର ୧୦୦ଟଙ୍କା ପ୍ରଦାନ କରାଯିବା ପାଇଁ ସୂଚନା ଦିଆଯାଇଛି। ପରବର୍ତ୍ତୀ ୫ ବିଜେତାଙ୍କୁ ୫୦୦ ଟଙ୍କା ସାନ୍ତ୍ବନାମୂଳକ ସୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଏହା ବ୍ୟତୀତ ଶ୍ରେଷ୍ଠ ୧୦ ଗ୍ରାମୀଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବା ପାଇଁ କୁହାଯାଇଥିବା ବେଳେ ପରବର୍ତ୍ତୀ ୨୦ ଗ୍ରାମୀଣ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା ସ୍ବରୂପ ଏକ ସାଲେମ ଷ୍ଟିଲ୍ ସେଟ୍ ପ୍ରଦାନ କରାଯିବ। ଏଥିସହିତ ଯୁବ ପ୍ରତିଭାକୁ ଉତ୍ସାହିତ କରିବା ନିମନ୍ତେ ଶ୍ରେଷ୍ଠ ୧୦ ଗ୍ରାମୀଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୧ ହଜାର ୫୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟରେ ମାରାଥନ ସମାପ୍ତ କରୁଥିବା ପ୍ରତ୍ୟେକ ଦୌଡାଳୀଙ୍କୁ ଏକ ପଦକ ସହ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଏହି ହାଫ୍ ମାରାଥନଟି ସକାଳ ୬ ଘଟିକାରେ ସେକ୍ଟର-୬ରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଏବଂ ଏଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଆରଏଫଆଇଡ଼ି ଚିହ୍ନ ସହିତ ସଜ୍ଜିତ ବିଆଇବିଏସ ଜର୍ସି ପ୍ରଦାନ କରାଯିବ। ନିରପେକ୍ଷ ଅଂଶଗ୍ରହଣ ଏବଂ ସଠିକତା ପାଇଁ ଟ୍ରାକିଂ ସଫ୍ଟୱେର୍, ଡ୍ରୋନ୍ ଏବଂ ଚେକ୍ ପଏଣ୍ଟ ବ୍ୟବହାର କରି ଏକ ତୃତୀୟ ପକ୍ଷ ଦ୍ବାରା ମାରାଥନକୁ ଆରମ୍ଭ କରାଯିବ । ରାସ୍ତାରେ ଫନ୍ ପଏଣ୍ଟ ସ୍ଥାପନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବା ସହିତ ଦର୍ଶକମାନେ ବିଭିନ୍ନ ସ୍ଥାନରେ ଦୌଡାଳୀଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଧାବକମାନଙ୍କ ଫେରିବାକୁ ଅପେକ୍ଷା କରିଥିବା ଦର୍ଶକଙ୍କ ନିମନ୍ତେ ଇସ୍ପାତ ଷ୍ଟାଡିୟମରେ ଏକ ବିଶାଳ ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ଷ୍ଟାଡିୟମକୁ ସମସ୍ତଙ୍କ ମୁକ୍ତ ପ୍ରବେଶ ରହିଥିବାବେଳେ ପ୍ରମୁଖ ସ୍ଥାନରେ ଡାକ୍ତର, ପାରାମେଡିକାଲ ଷ୍ଟାପ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି ରାଉରକେଲା ହାଫ୍ ମାରାଥନ-୨୦୨୬ ଲୋକମାନଙ୍କୁ ଜୀବନର ଏକ ମାଧ୍ୟମ ଭାବରେ ଫିଟନେସକୁ ଗ୍ରହଣ କରିବା ସହିତ ଅଂଶଗ୍ରହଣ ମାଧ୍ୟମରେ ସଂହତିର ଭାବନା ଗଠନ କରିବାକୁ ପ୍ରେରଣା ଦେବ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଇସ୍ପାତ କାରଖାନା ତଥା ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ତରୁଣକାନ୍ତି ମିଶ୍ରଙ୍କ ସମେତ ଅର୍ଚ୍ଚନା ଶତପଥୀ, ବୋକାରୋ ଇସ୍ପାତ କାରଖାନାର କ୍ରୀଷ୍ଣନ୍ ଚନ୍ଦ୍ର ଏବଂ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିଥିବା ସୁମିତ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ସାମ୍ବାଦିକ ସମ୍ମିଳନୀରେ ହାପ୍ ମାରାଥନ୍-୨୦୨୬ର ମାସ୍କଟ୍ (ପଦ୍ମା ଓ ରାଜା)ର ଉନ୍ମୋଚନ ସହିତ ଜର୍ସିକୁ ମଧ୍ଯ ଉନ୍ମୋଚିତ କରାଯାଇଥିଲା। ମଶାଲ ପ୍ରଜ୍ବଳନ କରାଯିବା ସହିତ ବେଲୁନ୍ ଛଡାଯାଇ ହାପ୍ ମାରାଥନ୍-୨୦୨୬ର ଉନ୍ମୋଚନ କରାଯାଇଥିଲା।











