ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ-ଶାସନ ଦିବସ-୨୦୨୧ , କୋଭିଡ୍ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଅବସରରେ ପରିଷଦ କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପରେ ପରିଷଦ କାର୍ଯ୍ୟାଳୟ ପରିସରରେ ଉତ୍ତମ ପୌର କର୍ମଚାରୀ ମାନଙ୍କୁ ସମ୍ମାନିତ ଓ ପୁରସ୍କାର ବଣ୍ଟନ ଉତ୍ସବ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ପାରଳାଖେମୁଣ୍ଡି ସହରକୁ ସବୁଜ , ସ୍ୱଚ୍ଛ , ସରସ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ଏବଂ ଆସୁଥିବା ବିଭିନ୍ନ ଗ୍ରାମାଞ୍ଚଳ ଓ ବାହାର ଜିଲ୍ଲାର ଲୋକଙ୍କୁ ପାରଳା ସହର ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଚାଲିଛି । ଏ ସବୁର ସଫଳତା ଓ ସ୍ୱଚ୍ଛତା ପାଇଁ ସହର ବାସୀଙ୍କ ବିନା ସହଯୋଗରେ ସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପରେ ପୌର-ପରିଷଦର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟସେବା ଯୋଗୁଁ ପୌର-ପରିଷଦ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସେମାନଙ୍କୁ ଉପଢୌକନ, ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ପୌର-ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୌର ପରିଷଦ ପକ୍ଷରୁ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯଥା:- ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ୧୩୯ ଗୋଟି ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ଓ ସରକାରୀ କାନ୍ଥ ଗୁଡିକରେ ବିଭିନ୍ନ ସଚେତନତା ମୂଳକ ଚିତ୍ର ଅଙ୍କା ଯାଇଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୯୭ ଗୋଟି ଗୃହ ନିର୍ମାଣ , ୨୦-କେଏଲଡି କ୍ଷମତା ବିଶିଷ୍ଠ ମାଲ ଉପଚାର କେନ୍ଦ୍ର , ହାଟପଦା ଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ , ସାଧାରଣ ଶୌଚଳୟର ମାନ ବୃଦ୍ଧିକରି ନବୀକରଣ , ଅନୁ-ଜୈବଖତ ନିର୍ମାଣ କେନ୍ଦ୍ର ଓ ସାମଗ୍ରୀ ପୂନର୍ଲାଭ କେନ୍ଦ୍ର ଏବଂ ପରିଚୟ/ ମିଶନ ଶକ୍ତି ଗୃହ ନିର୍ମାଣ ପ୍ରଭୃତି ସମ୍ପୂର୍ଣ୍ଣ କରାଯାଇଥିବା ସମ୍ପର୍କରେ କହିଥିଲେ । ଏଥିସହିତ କାର୍ଯ୍ୟକାରୀ ହେଉଥିବା ତଥା ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା:-ପୁରୁଣା କୋର୍ଟ ଛକଠାରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟ-କରଣ ଓ ପଟ୍ଟନାୟକ ପୋଖରୀର ନବୀକରଣ ପ୍ରଭୃତି ସମ୍ପର୍କରେ ଏବଂ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ସମୂହ ଯଥା:- କିରୋସିନ ଡିପୋ ପାର୍ଶ୍ଵରେ ଏକ ସ୍ମାର୍ଟ-ପାର୍କ ନିର୍ମାଣ , ରାମନଗର ଠାରେ ଏକସ୍ମାର୍ଟ ସ୍ମଶାନ ନିର୍ମାଣ , ନୂତନ ଟାଉନହଲ/ଅଡ଼ିଟୋରିଅମ , ଶଙ୍କୁରିବନ୍ଧ କମ୍ପ୍ଲେକ୍ସ ପ୍ରଭୃତି ଉପରେ ସୂଚନା ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ଲୀମା ସଞ୍ଚାଳନ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଏବଂ କାର୍ଯ୍ୟକ୍ରମ ଗୁଡିକୁ ଶ୍ରୀ ବିରଞ୍ଚି ମିଶ୍ର , ଇନ୍ଦିରା ଗୌଡ଼ , ସୁରେଶ ପାଣିଗ୍ରାହୀ ଓ ଘନଶ୍ୟାମ ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।











