ନିର୍ଦ୍ଧାରିତ ସମୟ ଭିତରରେ ପଦକ୍ଷେପ ଗ୍ରହଣ କରାନଗଲେ ପୁନର୍ବାର ଆନ୍ଦୋଳନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ଗତ ଷୋହଳ ତାରିଖରୁ ସ୍ଥାନୀୟ ଆଞ୍ଚଳିକ କୃଷକ ମହାସଂଘ ର କର୍ମକର୍ତ୍ତା ମାନେ , ପଂଚାୟତ ରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ବିରୋଧ କରି ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଥିଲେ । ମୁଖ୍ୟତଃ ମନରେଗା ଯୋଜନାରେ ହୋଇଥିବା ଏକ କେନାଲ ଓ ଏକ ବନ୍ଧ କାମରେ ହୋଇଥିବା ବ୍ୟାପକ ଦୁର୍ନୀତି କୁ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇବା ପରେ ମଧ୍ୟ କୋଣସି କାର୍ଯନୁଷ୍ଠାନ ନ ହେବାରୁ ଚାଷୀ ମାନେ ବାଧ୍ୟ ହୋଇ ପଂଚାୟତ ଅଫିସ ରେ ତାଲା ପକାଇଥିଲେ । ଆଜି ଧାରଣା ସ୍ଥଳକୁ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ ,ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ପାଇକମାଲ ବିଡ଼ିଓ ଉପାଞ୍ଜଳି ମାଝୀ , ଏବିଡ଼ିଓ ଶ୍ରୀ ଭୀଷ୍ମ ଦେବ ମାଝୀ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଏପିଓ କେତନ ପ୍ରଧାନ ପ୍ରମୁଖ ପହଂଛି ଆନ୍ଦୋଳନକାରୀ ଚାଷୀ ମାନଙ୍କର ସହିତ ଆଲୋଚନା କରିଥିଲେ । ଏସଡିପିଓ ଶ୍ରୀ ଭୋଇ ଙ୍କର ଉଦ୍ୟମ କ୍ରମେ ଏକ ସଫଳ ଆଲୋଚନା ପରେ ପ୍ରଶାସନ ତରଫରୁ , ପଂଚାୟତ ରେ ହୋଇଥିବା ଦୁର୍ନୀତି ର ଏକ ମାସ ମଧ୍ୟରେ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବାର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ରତ ଚାଷୀ ପଂଚାୟତ ଅଫିସର ତାଲା ଖୋଲି ଆନ୍ଦୋଳନ ପ୍ରତ୍ୟାହାର କରିବା ସହିତ ପ୍ରତିଶ୍ରୁତି ଅନୁସାରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ଚାଷୀ ମାନେ ।









