ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦଲକ ମୈାଜା ଜାରିଙ୍ଗୀ ଅଂଚଳରୁ ବେଆଇନ ଜମି ଜବରଦଖଲ କାରୀଙ୍କ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ପୂର୍ବାହ୍ନ ୧୧ ସମୟରେ ଓଡ଼ଗାଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ରେଭିନ୍ୟୁ ଇନସପେକ୍ଟର ଓଡ଼ଗାଁ, ଓଡ଼ଗାଁ ଥାନା ସବଇନିସପେକ୍ଟର ସଞ୍ଜୟ ପରିଡ଼ା ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ବେଆଇନ ଦଖଲକାରିଙ୍କୁ ଉଚ୍ଛେଦ କରାଯାଇଛି । ଆଜିର ଉଚ୍ଛେଦ ପ୍ରକ୍ରିୟାରେ କାର୍ତିକ ଭଟ୍ଟ, ବଳିଆ ଭଟ୍ଟ, ପଂଚୁ ବାରିକ, ପ୍ରଭାତ ବାରିକ, ପ୍ରତିମା ପାତ୍ରଙ୍କ ଘର, ଅଧାଗଢା ଘର ଏବଂ ପାଚେରି ଭଙ୍ଗା ଯାଇଥିଲା । ପ୍ରତିମା ପାତ୍ର ତାଙ୍କ ନିଜ ଜାଗା ଉପରୁ ପାଚେରି ଭଙ୍ଗା ଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଗତ ୭ ଦିନ ପୂର୍ବେ ଜବରଦଖଲ କାରୀଙ୍କୁ ଦଖଲ ଛାଡିବାକୁ ୨୪ ଘଂଟିଆ ନୋଟିସ ଜାରି କରାଯାଇଥିଲା । ଏହାକୁ ଜବରଦଖଲକାରୀ ଗୁରୁତ୍ୱ ଦେଇନଥିଲେ । ଏନଏସି ପ୍ରଶାସନ ଏନେଇ ନୟାଗଡ଼ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ୮ ଜବରଦଖଲ କାରିଙ୍କ ଦଖଲ ଉଚ୍ଛେଦ କରିଥିଲେ । ଏବଂ ଆଗାମି ଦିନରେ ଓଡ଼ଗାଁ ଏନଏସିର ଅନ୍ୟ ସମସ୍ତ ଅଂଚଳର ଜବରଦଖଲ କାରୀମାନଙ୍କୁ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।








