ବୀରେନ୍ଦ୍ର, ଅମିତଙ୍କୁ ୨.୫କୋଟି ସାଙ୍ଗକୁ ଡିଏସପି ଚାକିରି, ଦୀପ ଓ ନମିତାଙ୍କୁ ୫୦ ଲକ୍ଷ
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ଆଜି ସ୍ୱତନ୍ତ୍ର ଭାବେ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳର ଦୁଇ ଓଡ଼ିଆ ଖେଳାଳୀ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ୍ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି | ଏହାସହ ଉଭୟଙ୍କୁ ଡିଏସପି ଚାକିରି ପାଇଁ ଅଫର୍ ଲେଟର ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭାରତୀୟ ମହିଳା ହକି ଦଳର ପ୍ରତିନିଧିତ୍ୱ୍ୱ କରିଥିବା ଦୁଇ ଖେଳାଳୀ ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପୋଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ | ଭବିଷ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
୪ ଓଡ଼ିଆ ଅଲିମ୍ପିଆନ୍ ଙ୍କୁ ସମ୍ପର୍ଦ୍ଧିତ କଲା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଭୁୟସୀ ପ୍ରଶଂସା କରିଥିଲେ । "ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ହକି ଟିମ୍ ର ପ୍ରଦର୍ଶନ ବହୁତ ଭଲ ଥିଲା । ସେହିଭଳି ସେମି ଫାଇନାଲ୍ ରେ ପହଞ୍ଚିବା ପାଇଁ ମହିଳା ହକି ଦଳ ଅକ୍ଲାନ୍ତ ଉଦ୍ୟମ କରି ଇତିହାସ ସୃଷ୍ଟିି କରି ପାରିଛନ୍ତି | ତେଣୁ କଠିନ ପରିଶ୍ରମ ଜାରି ରଖ, ଦେଶ ପାଇଁ ଆହୁରି ଗୌରବ ଆଣ" ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଉପସ୍ଥିତ ଥିବା ସ୍ପୋର୍ଟସ୍ ହଷ୍ଟେଲ୍ ର ହକି ଖେଳାଳି ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ । ଉପଯୁକ୍ତ ଖେଳାଳୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ
ସମ୍ବର୍ଦ୍ଧନାର ଉତ୍ତରରେ ୪ ଅଲିମ୍ପିଆନ୍ ଭାରତୀୟ ହକିର ଉନ୍ନତିରେ ମୁଖ୍ୟମନ୍ତ୍ରୀଙ୍କୁ ସମୟଚିତ ତଥା ନିରବଛିନ୍ନ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁଁ ଟୋକିଓ ଅଲିମ୍ପିକ୍ସରେ ଆମମାନଙ୍କୁୁ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଲା ବୋଲି ସେମାନେ କହିଥିଲେ । ଅଲିମ୍ପିକ୍ସରୁ ଫେରିଲା ପରେ ଚାକିରି ଓ ପୁରସ୍କାର ରାଶି ଦେବାକୁ ରାଜ୍ୟ ସରକାର ଦେଇଥିବା କଥା ରଖିଥିବାରୁ ସେମାନେ ଆନନ୍ଦ ପ୍ରକାଶ କରିଥିଲେ ।
।
ଏହି କାର୍ଯ୍ୟକ୍ରମ ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ ଏବଂ କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରୀଷ୍ଣା ଉତ୍ସବରେ ଉପସ୍ଥିତ ଥିଲେ ।












