ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଲକଡାଉନ ଓ ସଟଡାଉନ ସମୟରେ ଜୀବିକା ହରାଇଥିବା କୃଷକ , କଳାକାର , ଜୀମ , ସେଲୁନ ଓ ପାର୍ଲର ବ୍ୟବସାୟୀଙ୍କୁ ୬ ମାସର ଜୀବିକା ସୁରକ୍ଷା ଭତ୍ତା ୧୧୦୦ କୋଟି ଟଙ୍କାର ପ୍ୟାକେଜ ଦେବା ଦାବୀରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି ଅବସରରେ , କୃଷକ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମିଳିତମଞ୍ଚର କୃଷକ ଓ କଳାକାର ସମେତ ସେଲୁନ , ଜୀମ , ପାର୍ଲର ବ୍ୟବସାୟୀ ମାନେ ସ୍ଥାନୀୟ ଜେଲ ଛକରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ୭ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ , କରୋନା ମହାମାରୀର ପ୍ରଥମ ଓ ଦ୍ଵିତୀୟ ଲହର ସମୟରେ ହୋଇଥିବା ଲକଡାଉନ ଓ ସଟଡାଉନ ସମୟରେ ବହୁ ସଂଖ୍ୟାରେ ରହିଥିବା କୃଷକ ସମେତ କଳାକାର , ସେଲୁନ , ଜୀମ , ପାର୍ଲର ପ୍ରଭୃତି ବ୍ୟବସାୟୀ ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ଏମିତିକି ସେମାନଙ୍କ ପିଲାଛୁଆଙ୍କ ପାଠ ପଢ଼ାଇବା , ଖାଇବା ଓ ପିନ୍ଧିବା ପ୍ରଭୃତି କ୍ଷେତ୍ରରେ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ସମ୍ମୁଖୀନ ହୋଇଥିଲେ । ଅନ୍ୟ ରାଜ୍ୟଯଥା:-ତେଲେଙ୍ଗାନା , ତାମିଲନାଡୁ ଓ ଦିଲ୍ଲୀରେ ଏଭଳି ସ୍ଥିତି ଦେଖାଦେବା ଫଳରେ ସେହି ରାଜ୍ୟ ମାନଙ୍କରେ ସମ୍ପୃକ୍ତ ବ୍ୟବସାୟୀ ମାନଙ୍କ ବିଭିନ୍ନ ପ୍ରକାରର ଆର୍ଥିକ ସାହାଯ୍ୟ ଦିଆଯାଇଛି । ତେଣୁ ରାଜ୍ୟର କୃଷକ ଓ କଳାକାର ସମେତ ଅନ୍ୟାନ୍ୟ ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ମଧ୍ୟ ରାଜ୍ୟ ସରକାର ବିଗତ ୬ ମାସର ୫ ହଜାର ଟଙ୍କା ଲେଖାଏଁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ଦାବୀ କରିଥିଲେ । ଏତଦବ୍ୟତୀତ ଋଣ ନେଇଥିବା ଉପରୋକ୍ତ ବ୍ୟବସାୟୀଙ୍କୁ ଋଣ ଶୁଝିବା ପାଇଁ ୨ ବର୍ଷ ସମୟ ଦିଆଯାଉ , କରୋନା ସମୟରେ ଭଡା ନେଇଥିବା ବ୍ୟବସାୟୀଙ୍କ ଘରଭଡା ବାବଦ ଟଙ୍କା ରାଜ୍ୟ ସରକାର ଶୁଝନ୍ତୁ , ନାଇଟ କର୍ଫ୍ୟୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ କଳାକାର ଭତ୍ତା ମାସକୁ ୧୨୦୦ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଦାବୀ କରିବା ସହ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।








