ଦୀପାଙ୍କ ଟ୍ୱିଟ ପରେ ପୂର୍ତ୍ତ ବିଭାଗ ସଚିବଙ୍କ ଉତ୍ତର:ମରାମତି ହେଲା ରାସ୍ତା
ବରଗଡ଼ : ଆଗରୁ କୌଣସି ସମସ୍ୟା ନେଇ ଲୋକେ ସ୍ଥାନୀୟ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କେହି ଶୁଣୁନଥିଲେ | ଧାଇଁ ଧାଇଁ ଲୋକ ନୟାନ୍ତ ହୋଇଯାନ୍ତି ଆଉ ଚପଲ ଘୋରି ହୋଇଯାଏ | କାମ ହେବାର ନ ଗନ୍ଧ ନଥାଏ | ହେଲେ ଏବେକିନ୍ତୁ ସ୍ଥିତିରେ ଅନେକ ଉନ୍ନତି ଘଟିଛି | ରାଜ୍ୟରେ "ମୋ ସରକାର" ଏବଂ ୫ ଟି କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଛୋଟ ରୁ ନେଇ ବଡ଼ ସମସ୍ୟା ଗୁଡ଼ିକୁ ଗୁରୁତ୍ୱ ଦେଇ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଲ ଠାରୁ ଡଭା ପର୍ଯ୍ୟନ୍ତ ତିଆରି ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ| ସୂଚନା ଅନୁଯାୟୀ ଏହି ପୂର୍ତ୍ତ ବିଭାଗର ରାସ୍ତା ଝାରବନ୍ଧ ବ୍ଲକ ଅମଠି ଗ୍ରାମର ସ୍କୁଲ ପାଖାପାଖି ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଥିଲା | ଏହି ସମସ୍ୟାର ସମାଧାନ ପାଇଁ ପାଇକମାଲ ଅଞ୍ଚଳର ସାମାଜିକ କର୍ମୀ ଦୀପା ବାରିକ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ,ମୋ ସରକାର 5T ତଥା ଓଡ଼ିଶା ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଡ଼ କ୍ରିଷ୍ଣ କୁମାରଙ୍କୁ ଅଭିଯୋଗ କରିଥିଲେ | ଯାହାର ପ୍ରତ୍ୟୁତ୍ତର ରଖିଥିଲେ ନିଜେ ସଚିବ | ଏହାପରେ ପୂର୍ତ୍ତ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା | ଯାହାଫଳରେ ପାଇକମାଲ ଠାରୁ ଯେଉଁ ଯେଉଁ ଜାଗାରେ ଏଭଳି ଛୋଟ ଛୋଟ ଗର୍ତ ସୃଷ୍ଟି ହୋଇଥିଲା ସେଥିରେ ପିଚୁ ଭର୍ତ୍ତି କରାଯାଉଛି | ଦୀପାଙ୍କ ପ୍ରୟାସ ତଥା ପୂର୍ତ୍ତ ବିଭାଗର ତତ୍ପରତାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି.|








