ହେଡଲାଇନସ୍:

ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ)- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ ଗୋଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପରିପ୍ରେକ୍ଷୀରେ ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ ସଂପର୍କରେ ଏକ ବୈଠକ ଆଜି ପୂର୍ବାହ୍ଣରେ ସ୍ଥାନୀୟ ରାଜୀବ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା, ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଏବଂ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବୀର ମହାରାଜପୁର ନିର୍ବାଚନ ମଣ୍ଡଳୀର ମହାନଦୀ ଉତ୍ସରୁ ୨ଟି , ହରିହରଯୋର ଉତ୍ସ ଏବଂ ସରୁବାଲିଯୋର ଉତ୍ସରୁ ୧ଟି ଲେଖାଏଁ ନୂତନ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯିବା ନେଇ ମନ୍ତ୍ରୀ ଶ୍ରୀ ବେହେରା ଦେଇଥିବା ପ୍ରସ୍ତାବ ଉପରେ ବିଶଦ୍ ଆଲୋଚନା କରାଯାଇଥିଲା । ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧୀରେନ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ବୀରମହାରାଜପୁର ବ୍ଲକର ସଂଗ୍ରାମପୁର, କମିରା, ପିତାମହୁଲ ଗ୍ରାମ ପଂଚାୟତ ନିକଟସ୍ଥ ପିତାମହୁଲଠାରେ ମହାନଦୀ ଉତ୍ସରୁ ଏବଂ ଏହି ବ୍ଲକର କେନ୍ଝରିଆପାଲି, ମୁର୍ସୁଣ୍ଢି, ଲୁଟୁୁରପଙ୍କ ଆଦି ଗ୍ରାମ ପଂଚାୟତ ଅନ୍ତର୍ଗତ ହରିହରଯୋର ଉତ୍ସରୁ ୨-୩ଟି ମେଗାଲିଫ୍ଟ ପ୍ରକଳ୍ପ କରାଯିବା ପାଇଁ ରହିଥିବା ପ୍ରସ୍ତାବ ଉପରେ ସ୍ଥିତି ଅନୁଧ୍ୟାନ ପାଇଁ ନିଷ୍ପତି ନିଆଯାଇଛି । ଏହି ସବୁ ପଂଚାୟତ ଅନ୍ତର୍ଗତ ଗ୍ରାମ ପ୍ରସ୍ତାବିତ ସରୁବାଲିଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଅଧିନରେ ଆସୁଥିଲେ ମଧ୍ୟ କୃଷକମାନଙ୍କ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ମହାନଦୀ ବା ହରିହରଯୋର ନଦୀ ଉତ୍ସରୁ ୨-୩ଟି ଗୋଟି ମେଗାଲିଫ୍ଟ ପ୍ରକଳ୍ପ କରାଯିବାର ସମ୍ଭାବ୍ୟତାକୁ ଅନୁଧ୍ୟାନ କରାଯିବା ସଂପର୍କରେ ପର୍ଯ୍ୟବେକ୍ଷଣ କରାଯାଇଥିଲା । କିନ୍ତୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜଉଁରାଭଉଁରା ପଂଚାୟତ ଠାରେ ପ୍ରସ୍ତାବରେ ରହିଥିବା ମେଗା ଲିଫ୍ଟ ପ୍ରକଳ୍ପ ଅଂଚଳ, ଘଂଚ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ହୋଇଥିବା ଯୋଗୁଁ ଏଠାରେ ପ୍ରକଳ୍ପ କରାଯିବା ସମ୍ଭବପର ହେବ ନାହିଁ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ଆଗତ ପ୍ରସ୍ତାବ ଉପରେ ମତବ୍ୟକ୍ତ କରି ଜଳ ସଂପଦ ବିଭାଗ ତରଫରୁ ବୈଷୟିକ ଟିମ୍ ଦ୍ୱାରା ଆବଶ୍ୟକ ଅନୁଧ୍ୟାନ କରାଯାଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲେ । କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନର କିପରି ସର୍ବୋତମ ଉପଯୋଗ ହୋଇପାରିବ, ସେଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଉଛନ୍ତି ଓ ତାଙ୍କ ଦିଗ୍ଦର୍ଶନରେ ରାଜ୍ୟରେ ଜଳସଂପଦ ବିଭାଗର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।
ସୂଚନା ଯୋଗ୍ୟ ଯେ, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ଓ ବୀର ମହାରାଜପୁର ବ୍ଲକରେ ସଂପ୍ରତି ୭ଗୋଟି ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହିସବୁ ପ୍ରକଳ୍ପ ଦ୍ୱାରା ୧୦,୪୨୦ ହେକ୍ଟର ପରିମିତ ଅଂଚଳକୁ ଜଳସେଚନ ଯୋଗାଇ ଦିଆଯାଇପାରିବ ଏବଂ ୯୪ ଗୋଟି ଗ୍ରାମର ବାସିନ୍ଦା ଉପକୃତ ହେବେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗର ସମସ୍ତ ଉପ ବିଭାଗ ପରିଦର୍ଶନ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସେମାନଙ୍କର ବିଭାଗୀୟ କାର୍ଯ୍ୟସଂପାଦନ ସଂପର୍କରେ ଆଲୋଚନା କରି ଆବଶ୍ୟକ ପରାମର୍ଶ ଦେଇଥିଲେ ।

0
0
0
s2sdefault