ହେଡଲାଇନସ୍:

ବଡମେଡିକାଲ ପୁଣି ଚର୍ଚାରେ : ଚିକିତ୍ସା ଅବହେଳା, ପ୍ରସବ ପୂର୍ବରୁ ଚାଲିଗଲା ଶିଶୁର ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ଅନିମେଶ ପଟ୍ଟନାୟକ : ଯାବତୀୟ ଅବ୍ୟବସ୍ଥାର ଗନ୍ତାଘର ପାଲଟିଛି ପୁରୀ ବଡମେଡିକାଲ| ଜିଲ୍ଲା ଚିକିତ୍ସାଳୟ ପାଇଁ ଆବଶ୍ୟକଭିତ୍ତିଭୂମି ଓ ଯନ୍ତ୍ରାଂଶ ନଥିବା ବେଳେ ଲଗାତାର ଭାବେ ଏ ହସପିଟାଲରୁ ଆସୁଛି ଚିକିତ୍ସା ଅବହେଳାର ଗୁରୁତର ଅଭିଯୋଗ | ଟିକିଏ କିଛି ଜଟିଳ ହେଲେ , କଟକ ରେଫର କରିଦେଉଛନ୍ତି ପୁରୀ ଡାକ୍ତର । ଯାହାର ଦୁଃଖଦ ପରିଣାମ ଭୋଗୁଛି ରୋଗୀ । କେତେବେଳେ ଚାଲିଯାଉଛି ରୋଗୀର ଜୀବନ ତ କେତେବେଳେ କରୁଣ ପରିଣତି ଭୋଗୁଛି ରୋଗୀ ଓ ପରିବାର ଲୋକେ ।  ସେହିପରି ଯନ୍ତ୍ରଣାର ସମ୍ମୁଖୀନ ହୋଇଥିବା ଅଭିଯୋଗ ପୁଣି ଆସିଛି ଏହି ହସପିଟାଲରୁ | 

ଅଭିଯୋଗ ଅନୁଯାୟୀ,  ରୀନା ସୁନ୍ଦରାୟ ନାମକ ଜଣେ ମହିଳା ପ୍ରସବ ବେଦନା ଅସହ୍ୟ  ହେବାରୁ କଣାସ ସ୍ଵାସ୍ଥ୍ୟକେନ୍ଦ୍ର ପୁରୀ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ଯନ୍ତ୍ରଣାରେ ଛଟପଟ ରୀନାଙ୍କୁ ପରିବାର ଲୋକେ ପୁରୀ ଆଣି ରାତି ୧୧ଟାରେ ଆଡମିସନ କରିଥିଲେ । ପ୍ରସବ ଜନିତ ରକ୍ତ ସ୍ରାବ ଅତ୍ୟଧିକ ହେତୁ ଭୋର ୪ଟାରେ ରୀନାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରିବାର ଲୋକଙ୍କୁ କହିଥିଲେ ଏବଂ ଡିସଚାର୍ଜ ମଧ୍ୟ  କରିଦେଇଥିଲେ । ଖାଲି ସେତିକି ନୁହେଁ ଯନ୍ତ୍ରଣାରେ କଲବଲ ହେଉଥିବା ରୀନାଙ୍କୁ ବେଡରୁ ତଳେ ଶୁଆଇଦେଇଥିଲେ ହସ୍ପିଟାଲ କର୍ମଚାରୀ । କେବଳ ଏତିକି କହିଥିଲେ, ଶାରଳା ଡାଇଗ୍ନୋଷ୍ଟିକରେ ଅଲ୍ଟ୍ରାସାଉଣ୍ଡ କରାଇ ନେବ । ଯାହାର ଦୁଃଖଦ ପରିଣତି ଭୋଗିଲେ ରୀନା । 

ରବିବାର ସକାଳୁ ଯେବେ ପରିବାର ଲୋକ ଶାରଳାରେ ଅଲ୍ଟ୍ରାସାଉଣ୍ଡ କରାଇଲେ ଜାଣିବାକୁ ପାଇଲେ କି ଶିଶୁଟି ମାଆ ପେଟରେ ମରିଯାଇଛି । ଦୁଃଖରେ ଭାଙ୍ଗି ପଡିଥିଲେ ରୀନା ଓ ପରିବାର ଲୋକେ । କିଛି ବୁଦ୍ଧି ଦିଶୁ ନଥିଲା ସେମାନଙ୍କୁ ।  ସେପଟେ ମଲା ଶିଶୁଟିକୁ ପେଟରେ ରଖି ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୀନା । ଦୁଇ ଦୁଇ ଥର ନେହୁରା ହୋଇଥିଲେ ମେଡିକାଲର ଜଣେ ମହିଳା ଡାକ୍ତରଙ୍କୁ । ହେଲେ ନିରାଶ ହୋଇଥିଲେ ରୀନାର ପରିବାର ଲୋକେ । 

ରୀନାଙ୍କ ପାଇଁ ସ୍ଥାନୀୟ ସମାଜ ସେବୀ ବିଶ୍ଵନାଥ ଦାସ ସିଡିଏମଓଙ୍କ ସହ କଥା ହୋଇଥିଲେ ମଧ୍ୟ  କିଛି ଫଳପ୍ରଦ ହୋଇନଥିଲା । ରକ୍ତର ଅଭାବ ଯୋଗୁଁ ରୀନାଙ୍କ ଅବସ୍ଥା ମଧ୍ୟ  ସଙ୍କଟାପନ୍ନ ହୋଇ ପଡିଥିଲା । ୮୦୦ ଟଙ୍କା ଦେଇ ବ୍ଲଡବ୍ୟାଙ୍କରୁ ରକ୍ତ କିଣି ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ରୀନା । 

ଏଠାରେ ପ୍ରଶ୍ନ ଉଠୁଛି, ପୁରୀ ବଡ ମେଡିକାଲରେ ପ୍ରସୂତୀ ବିଭାଗ ପାଇଁ ଗୋଟେ ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା ଆଜି ଯାଏ କାହିଁକି ହୋଇ ପାରିନି ?  ଘରୋଇ ଡାଇଗ୍ନୋଷ୍ଟିକସ୍ ସହିତ ମେଡିକାଲ ଡାକ୍ତରଙ୍କର ମଧୁଚନ୍ଦ୍ରିକା ଚାଲିଛି କି ? ଅନେକ ଦିନରୁ ବିଭିନ୍ନ ସମସ୍ୟା ଓ ଆବଶ୍ୟକତାକୁ ନେଇ ଗଣମାଧ୍ୟମ, ବୁଦ୍ଧିଜୀବୀ ଆଦିମାନେ ସରକାର ଓ ମେଡିକାଲ କର୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ଯ କଣ ପାଇଁ ଏଯାବତ ମେଡିକାଲର ମୌଳିକ ଆବଶ୍ୟକତାକୁ ପୁରଣ କରାଯାଉନାହିଁ ? ଯଦି ରାତିରେ ପ୍ରସୂତୀଙ୍କର ଅଲ୍ଟ୍ରାସାଉଣ୍ଡ କରି ହେଇଥାନ୍ତା ତାହେଲେ ବୋଧହୁଏ ଦୁନିଆ ଦେଖିବା ପୂର୍ବରୁ ଶିଶୁଟିର ଜୀବନ ବଞ୍ଚିଯାଇଥାନ୍ତା । 

 

0
0
0
s2sdefault