ନୌପଡା-ପାରଳା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ଦାବି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥକୁ ରାୟଗଡା ଜିଲ୍ଲାର ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଓ ଅନ୍ୟାନ୍ୟ ଉନ୍ନତିକରଣ ଦାବି ଗୁଡିକର ସମାଧାନ ପାଇଁ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ କେନ୍ଦ୍ର ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ରାଓ, ପ୍ରଥମେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀ ଦ୍ବୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ମନ୍ତ୍ରୀଦ୍ବୟଙ୍କ ସହିତ ପାରଳାଖେମୁଣ୍ଡି ଅଞ୍ଚଳର ରେଳବାଇ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ପ୍ରସଙ୍ଗକୁ ନେଇ ଆଲୋଚନା କରି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁର ଉନ୍ନତିକରଣ ଓ ସମ୍ପ୍ରସାରଣ ଅତ୍ୟନ୍ତ ଆବଶ୍ୟକତାର ସମାଧାନ କରିବା ପାଇଁ ଆଲୋଚନା ବେଳେ ଅନୁରୋଧ କରିବା ସହ ସେମାନଙ୍କୁ ପୃଥକ ପୃଥକ ଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓ ସ୍ମାରକପତ୍ରରେ ମୁଖ୍ୟତଃ ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁର ରେଳ ଲାଇନକୁ ରାୟଗଡା ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବା , ପାରଳାଖେମୁଣ୍ଡି ଓ ଗୁଣୁପୁର ରେଲୱେ ପ୍ଲାଟଫର୍ମର ଆଧୁନିକରଣ ସହ ଅନ୍ୟାନ୍ୟ ପ୍ଲାଟଫର୍ମ ଗୁଡିକର ଆଧୁନିକରଣ କରିବା , ରେଲୱେ ଷ୍ଟେସନ ମାନଙ୍କରେ ରିଜରଭେସନ ବୁକିଙ୍ଗ କାଉଣ୍ଟର କମ୍ପ୍ୟୁଟରୀକରଣ କରିବା ଏବଂ କାଶୀନଗର ଠାରେ ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନର ରହଣି କରିବା ପ୍ରଭୃତି ଦାବୀ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି । ଆଲୋଚନା , ଅନୁରୋଧ ଓ ସ୍ମାରକପତ୍ର ପ୍ରଦାନର ପ୍ରତ୍ୟୁତ୍ତରରେ ଉଭୟ ମନ୍ତ୍ରୀ ଦ୍ୱୟ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରଧାନ , ଏହି ଆବଶ୍ୟକତା ସମସ୍ୟାକୁ ନେଇ ସେମାନେ ତୁରନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟି ଆକର୍ଷଣ କରି ଏଥି ପ୍ରତି ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଗଣମାଧ୍ୟମକୁ ଲିଖିତ ସୂଚନା ମାଧ୍ୟମରେ ଜଣାଇଛନ୍ତି ।








