ପୁରୀ/ ଅନିମେଶ ପଟ୍ଟନାୟକ: ବଡ଼ଦାଣ୍ଡରେ ଲୀଳା କରୁଛିନ୍ତ ମହାପ୍ରଭୁ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସବୁ ପ୍ରସ୍ତୁତି ଶେଷ । ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇ ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି ।
କଥା ଅଛି, ମହାପ୍ରଭୁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲା ବେଳେ ଏକା ଯାଆନ୍ତି ନାହିଁ । ସାଙ୍ଗରେ ଅନେକ ପାର୍ଶ୍ବ ଦେବତା, ବେବାଦେବୀ,ଚଣ୍ଡି ଚାମୁଣ୍ଡା, ଅଶରୀରୀ ଆଦି ମାନେ ଯାଇଥାନ୍ତି । ମହାପ୍ରଭୁ ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାୟୀତ୍ବ ମଧ୍ୟ ଦେଇଥାନ୍ତି । ତେଣୁ ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସେ ସମସ୍ତଙ୍କୁ ପଣା ପିଆଇ ତୃପ୍ତି କରିଥାନ୍ତି । ସେ ପଣାକୁ ଅଧରପଣା ବୋଲି କୁହାଯାଏ ।
ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥାନ୍ତି। ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ହାଣ୍ଡିରେ ପଣା ପ୍ରସ୍ତୁତ ହେବ । ଭୋଗ ଶେଷ ପରେ ରଥ ଉପରେ ଉକ୍ତ ମାଟିହାଣ୍ଡିକୁ ଭଙ୍ଗା ଯିବା ପ୍ରଥା ଅଛି ।








