କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀ ଧିରାୟ ମାଝୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଧିରାୟ ମାଝୀ ନିଜର ଆୟ ଠାରୁ ବହୁ ଅଧିକ ସମ୍ପତ୍ତି ଠୁଳ କରିଥିବା ବିଷୟକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଜଣେ ଏଡିସନାଲ ଏସପି, ୨ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କେତେକ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଆଜି ଏକକାଳୀନ ଭାବେ ସହକାରୀ ଯନ୍ତ୍ରୀ ଧିରାୟ ମାଝୀଙ୍କ କୁଳିଅଣା ବ୍ଲକ କାର୍ଯ୍ୟାଳୟ ସହ ବାରିପଦାର କାଳିକାପୁର ସ୍ଥିତ ତ୍ରିତଳ ବାସଭବନ କୋଠା, କୋଷ୍ଠା ଠାରେ ଥିବା ଦ୍ବିତାଲା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆଖୋଲ ଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘର ଉପରେ ଚଢ଼ାଉ କରିଥିଲେ । ଏହି ସମୟରେ କୋଷ୍ଠା ଗ୍ରାମରେ ଦୁଇଟି ପ୍ଲଟ, ବାରିପଦା ସହରରେ ଗୋଟାଏ ପ୍ଲଟ, ଗୋଟାଏ ଚାରି ଚକିଆ ଯାନ , ଗୋଟାଏ ଟ୍ରାକ୍ଟର, ୩ଟି ଦୁଇଛକୁଆ ଯାନ, ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡ଼ିପୋଜିଟ, ନଗଦ ୧.୪୧ ଲକ୍ଷ ଟଙ୍କା ଏହିପରି ମୋଟ ୧ କୋଟି ୨୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏହି ସହିତ ଖବର ଲେଖା ଯିବା ପର୍ଯ୍ୟନ୍ତ ତଲାସୀ ଜାରି ରହି ଥିବାର ଜଣାପଡିଛି ।









