ଜାରି ରହିଛି ସମନ୍ୱିତ ଶିଶୁ ବିକାଶ ସମୀକ୍ଷା : କଲ୍ୟାଣସିଂପୁରରେ ଗସ୍ତରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ା/ସରୋଜ ସାହୁ-କଲ୍ୟାଣସିଂପୁର/ପ୍ରଦୀପ ଦଳାଇ

 ଡେପ୍ୟୁଟି କଲେକ୍ଟର୍ ତଥା ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆଙ୍କୁ ସାମୟିକ ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱ ଦିଆଯିବା ପରଠାରୁ ତାଙ୍କର ବିଭିନ୍ନ ସମନ୍ୱିତ ବିକାଶ ପ୍ରକଳ୍ପ ଗସ୍ତ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ଏକ କାର୍ଯ୍ୟସମୀକ୍ଷା ବୈଠକ କଲ୍ୟାଣସିଂପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱଳ୍ପ ସମୟର ବୈଠକରେ ସୁଶ୍ରୀ ଝୋଡିଆଙ୍କ ବ୍ୟତୀତ ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର ଏବଂ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଞ୍ଜୁରାଣୀ ମିଶ୍ର ଯୋଗ ଦେଇଥିଲେ । ପ୍ରକଳ୍ପ ଅଞ୍ଚଳକୁ ଫେରିଥିବା ପ୍ରବାସୀ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ମମତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସୁଶ୍ରୀ ଝୋଡ଼ିଆ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଡ଼ା କରୁଥିବା ଶିଶୁମାନଙ୍କ ସଠିକ୍ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଶ୍ରୀ ଝୋଡିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ପ୍ରକଳ୍ପ ଅଧିନରେ ଥିବା ସମସ୍ତ ସେକ୍ଟରର ମିଶନ ଶକ୍ତି ଏବଂ ମମତା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହ ସେ ଆଲୋଚନା କରିଥିଲେ । ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଏବଂ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା "ବ୍ୟାଙ୍କ ଲିଙ୍କେଜ୍" ଜନିତ ମତଭେଦକୁ ଯଥାଶୀଘ୍ର ଦୂର କରିବା ପାଇଁ ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପର ସଦର ସେକ୍ଟର ସମେତ ଜଗନ୍ନାଥପୁର, କୋରପା, ମାଝିଗୁଡା ଏବଂ ସିକରପାଇ ଆଦି ସେକ୍ଟର ମାନଙ୍କରେ ମମତା ଯୋଜନାରେ ପ୍ରଥମ କିସ୍ତି ଅଗ୍ରଗତି ଏବଂ ଇ-ପ୍ରଗତି ଅନୁସାରେ ଗର୍ଭବତୀ ପଞ୍ଜିକରଣ ଅତ୍ୟନ୍ତ ନିମ୍ନସ୍ତରରେ ଥିବା ଶ୍ରୀ ମହାପାତ୍ର କହିଥିଲେ । ଜିଲ୍ଲାରେ ବଢ଼ି ଚାଲିଥିବା ବାଲ୍ୟବିବାହକୁ ରୋକିବା ଦିଗରେ ପୋଲିସ, ୧୦୯୮-ଚାଇଲ୍ଡ୍ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତା ନେବା ତଥା ତୃଣମୂଳ ସ୍ତରରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ସୁଶ୍ରୀ ଝୋଡିଆ ନିର୍ଦ୍ଦେଶ ଦେଇଥିଲେ । 

ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ସାମଗ୍ରୀ, ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱୟଂସହାୟୀକା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ମାସ୍କ୍ ପ୍ରସ୍ତୁତି, ଖାଦ୍ୟ ବଣ୍ଟନ, ମୋ ଉପକାରୀ ବଗିଚା, ଘରେଘରେ ଅରୁଣିମା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଏବଂ କୋଭିଡ୍ ସର୍ଭେ ସମ୍ପର୍କୀତ ଅନେକ ତଥ୍ୟକୁ ନେଇ ମଧ୍ୟ ବୈଠକରେ ସମୀକ୍ଷା ହୋଇଥିଲା । ସୁଶ୍ରୀ ଝୋଡିଆ ସଦର ସେକ୍ଟର ଅଧିନସ୍ଥ ସିଙ୍ଗାରି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ କିଛି ଗର୍ଭବତୀ ମହିଳାଙ୍କୁ ଭେଟି ବିଭିନ୍ନ ଖାତାପତ୍ର ଏବଂ ପ୍ରଦାନ କରାଯାଉଥିବା ସହାୟତା ଯାଞ୍ଚ ସହ ଗର୍ଭବତୀ ପଞ୍ଜିକରଣର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ । ଛତୁଆ ପ୍ରସ୍ତୁତି ଜନିତ ଏକ ଅଭିଯୋଗ ର ତଦନ୍ତ ନିମନ୍ତେ ନାରାୟଣପୁରଠାରେ ଏକ ସ୍ୱୟଂ ସହାୟୀକା ଗୋଷ୍ଠୀର କିଛି ସଭ୍ୟାଙକ ସହ ଆଲୋଚନା କରିଥିଲେ। ସୁଶ୍ରୀ ଝୋଡିଆଙ୍କ ଏହି ଗସ୍ତ ସମୟରେ ପ୍ରକଳ୍ପର ସମସ୍ତ କାର୍ଯ୍ୟରତ ସେକ୍ଟର ସୁପରଭାଇଜର, ମମତାର ପ୍ରକଳ୍ପ ସହାୟକ, ମିଶନଶକ୍ତି ବିପିସି ଓ ବିପିଏ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

0
0
0
s2sdefault