ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୁର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀୀଯୁକ୍ତ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ଶ୍ରୀମତି ନାୟକ ୨୦୦୨ ମସିହାରେ ପ୍ରଥମେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରି ୨୦୦୨-୨୦୦୭ ପର୍ଯ୍ୟନ୍ତ ଡମ୍ବାଳ ରୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୭ରେ ସେହି ଡମ୍ବାଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ଭାବେ ଅଞ୍ଚଳର ବହୁ ଉନ୍ନତି ସାଧନ କରିଥିଲେ । ଏହାପରେ ୨୦୧୨ ମସିହାରେ ରାୟଗଡ ବ୍ଲକର ଡମ୍ବାଳ ଏବଂ ଜଲାଙ୍ଗ ୨ଟି ଆସନରୁ ସମିତିସଭ୍ୟା ଭାବେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ । ହେଲେ ଡମ୍ବାଳ ଆସନଟି ଛାଡି ଜଲାଙ୍ଗ ଆସନଟି ହାତରେ ରଖି ୨୦୧୨ରେ ରାୟଗଡ ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରି ସମଗ୍ର ବ୍ଲକରେ ବିକାଶା ଧାରାକୁ ଆଗେଇ ନେଇ ଲୋକଙ୍କ ଠାରେ ବେଶ ଖ୍ୟାତି ଅର୍ଜନ କରିଥିଲେ ।
ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଦଳର ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବେ ପୂର୍ଣ୍ଣବାସୀ ନାୟକ ପ୍ରତିଦ୍ୱନ୍ଦିତା କରି ଖୁବ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ମହିଳାଙ୍କୁ ଗଜପତି ଜିଲ୍ଲାର ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ , ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ , ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ , ଛାତ୍ର ବିଜେଡି ଜିଲ୍ଲା ସଭାପତି ବିଶ୍ୱଜିତ ତ୍ରିପାଠୀ , ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ , ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା , ସାଂସଦ ପ୍ରତିନିଧି ବିମଳ ଦଳେଇ , ବିଜେଡି ନେତ୍ରୀ ସଂଜୁକ୍ତା ବେହେରା , ତନୁଜା ଶତପଥୀ , ଇନ୍ଦିରା ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ନବନିଯୁକ୍ତ ମହିଳା ସଭାନେତ୍ରୀ ଶ୍ରମତୀ ନାୟକ କହିଛନ୍ତି , ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି । ଜିଲ୍ଲାର ମହିଳା ସଭାନେତ୍ରୀ ଭାବେ ସମଗ୍ର ଜିଲ୍ଲାରେ ସଂଗଠନକୁ ସୁଦୃଢ କରି ବିଜେଡିର ଉନ୍ନତି ପାଇଁ ମୁଁ କାର୍ଯ୍ୟ କରିବି ।