ହେଡଲାଇନସ୍:

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ମୁକାବିଲାରେ ଡା.ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ ସ୍ୱର୍ଗତ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ କୋଭିଡ୍ ମୁକାବିଲାରେ ତାଙ୍କର କାମ ପ୍ରତି ଥିବା ନିଷ୍ଠା , କର୍ତବ୍ୟ ଓ ପ୍ରତିବଦ୍ଧତାର ସ୍ମୃତିଚାରଣ କରି ତାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀରେ ନିଜ ସହଯୋଗୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବା ପରେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀଜୀଙ୍କ ଦ୍ୱାରା ଓଡ଼ିଶାର ସୁପୁତ୍ର ଏବଂ ଭାରତ ସରକାରରେ ସଚିବ ରହିଥିବା ସ୍ୱର୍ଗତ ଡ଼ା. ଗୁରୁପ୍ରସାଦ ମହାପାତ୍ରଙ୍କ ଭଳି କର୍ମଯୋଗୀଙ୍କ କଥା ଉଲ୍ଲେଖ କରିବା ସମସ୍ତଙ୍କୁ ଗୌରବାନ୍ୱିତ କରିଛି । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ମଧ୍ୟ ନିଷ୍ଠାର ସହ ଦେଶବାସୀଙ୍କୁ ଅକ୍ସିଜେନ ପହଁଚାଇବାରେ ତାଙ୍କର କାର୍ଯ୍ୟ ଅତୁଳନୀୟ ।

କରୋନା ବିରୋଧୀ ଦେଶର ଲଢେ଼ଇରେ ଶାସନ, ପ୍ରଶାସନ, ଡ଼ାକ୍ତର ଏବଂ ଅନ୍ୟ ସମସ୍ତ ଲୋକମାନେ ନିଜ ନିଜ ସ୍ତରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଗୁରୁ ପ୍ରସାଦ ମହାପାତ୍ରଙ୍କ ଭଳି ଅନେକ କରୋନା ଯୋଦ୍ଧା ଆମ ମାନଙ୍କ ମଧ୍ୟରେ ନାହାନ୍ତି କିନ୍ତୁ ତାଙ୍କର କର୍ତବ୍ୟନିଷ୍ଠା  ଏବଂ ସମାଜ ପ୍ରତି ସମର୍ପଣ ଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ଆମେ ସମସ୍ତେ କୋଭିଡ୍ ନିୟମ ମାନିବା ସହ ଟିକା ନେବା ହିଁ ସ୍ୱର୍ଗତ ମହାପାତ୍ରଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶରେ କାର୍ଯ୍ୟକାରୀ ହେଉଥିବା ମାଗଣା ଟିକାକରଣ ଅଭିଯାନ, କରୋନା ଲଢେ଼ଇରେ ହାସଲ କରାଯାଇଥିବା ଉପଲବ୍ଧି ଏବଂ ଟିକାକୁ ନେଇ ହେଉଥିବା ଅପପ୍ରଚାର ଉପରେ ଚର୍ଚ୍ଚା କରିଛନ୍ତି । ମଧ୍ୟପ୍ରଦେଶର ବେତୁଲରେ ବାସ କରୁଥିବା ରାଜେଶଜୀଙ୍କ ସହ ପ୍ରଧାନମନ୍ତ୍ରୀଜୀ ‘ମନ୍ କି ବାତ୍’ ଆଲୋଚନା କରିବା ସମୟରେ କାଶ୍ମୀର, ବାନ୍ଦିପୁରା ଏବଂ ନାଗାଲ୍ୟାଣ୍ଡର ଗ୍ରାମାଞ୍ଚଳରେ ଶତପ୍ରତିଶତ ଟିକାକରଣ ହୋଇଥିବାର ଉଦାହରଣ ସାମ୍ନାକୁ ଆଣିଥିଲେ, ଯାହା ଟିକା ଦ୍ୱନ୍ଦ, ଭ୍ରମ ତଥା ଅପପ୍ରଚାରକୁ ବନ୍ଦ କରିବା ଦିଗରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବ ।

ପ୍ରଧାନମନ୍ତ୍ରୀ ଇଣ୍ଡିଆ ଫାଷ୍ଟ, ଅମୃତ ମହୋତ୍ସବ, ଜଳ ଏବଂ ପରିବେଶ ସୁରକ୍ଷା, ଚାଟାର୍ଡ୍ ଆକାଉଂଟାଟ୍ ସକରାତ୍ମକ ଭୂମିକା ତଥା ଟୋକିଓରେ ଭାରତୀୟ କ୍ରୀଡ଼ାବିତଙ୍କ ମନୋବଳ ବଢ଼ାଇବା ଏବଂ ଚିୟର୍ସ ଫର୍ ଇଣ୍ଡିଆ ଭଳି ଅଭିନବ ପ୍ରୟାସ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

0
0
0
s2sdefault