ପଦ୍ମପୁର(ଶାସକପ୍ରଶାସକ)-କେନ୍ଦୁପତ୍ର ତୋଲାଳି ମାନେ ଗତ ୨ ମାସ ହେଲା ଜଙ୍ଗଲ ରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗ କୁ ବିକ୍ରି କରିଥିଲେ ମଧ୍ୟ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ର ୫୫ ହଜାର କେନ୍ଦୁପତ୍ର ତୋଲାଳିଙ୍କୁ ଟଙ୍କା ଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି । କେନ୍ଦୁପତ୍ର ବିକ୍ରିର ୭ ଦିନ ଭିତରେ ତୋଲାଳିଙ୍କୁ ତାଙ୍କ ପ୍ରାପ୍ଯ ପ୍ରଦାନ କରିବା ପାଇଁ ନିଜେ ସରକାର ନିୟମ କରି ଏହାକୁ ଉଲଙ୍ଘନ କରୁଛି ବୋଲି ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପାଇକମାଲ ପଶ୍ଚିମ ରେଞ୍ଜ କମିଟୀ ବୈଠକ ରେ ଉଦବେଗ ପ୍ରକାଶ ପାଇଛି । ମୁନସୀ ଓ ଚପରାସୀ ମାନେ ଗୁଛାକଟା କାର୍ଯ୍ଯରୁ ପତ୍ର ତୋଲା,ଫଡି ମରାମତି,ରଚେଇ,ବୁହେଇ ପର୍ଯ୍ଯନ୍ତ କାର୍ଯ୍ଯ କରୁଥିଲେ ମଧ୍ୟ ମୁନସୀ ଚପରାସୀ ମାନଙ୍କ ଦରମା ଦିଆ ଯାଇ ନଥିବାରୁ ବୈଠକ ରେ ଉପସ୍ଥିତ ଅନେକ ଚପରାସୀ ଓ ମୁନସୀ ଦୁଃଖ ପ୍ରକାଶ କରିଥିଲେ । ଗତ ତା ୨୧ ତାରିଖ ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିନିଧି ମଣ୍ଡଳ ଙ୍କ ସହ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଆଲୋଚନା କରି ୭ ଦିନ ଭିତରେ ମୁନସୀ,ଚପରାସୀ,ପତ୍ର ରଚେଇ,ବୁହେଇ,ଫଡି ମରାମତି ର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇ ଥିବାରୁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ରେଞ୍ଜ କମିଟୀ ନିଷ୍ପତ୍ତି ନେଇଥିଲା । ସଂଘର ବରିଷ୍ଠ ନେତା ଅରମାନ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରେଞ୍ଜ କମିଟୀର ବୈଠକରେ ପଦ୍ମପୁର ଡିଭିଜନ ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ,ହେଡଚେକର ହରିହର ସା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବଂଶିଧର ସାହୁ,ଉମାକାନ୍ତ ପ୍ରଧାନ,ଅକ୍ଷୟ ପ୍ରଧାନ,ଲୋଚନ ସୁନା,ମହୋହର ଗୌଡ,ଧନସିଂ ନାୟକ,ବିଜୟ ମହାନ୍ତି ଆଦି ନେତା ମାନେ ଆଲୋଚନାରେ ଉପସ୍ଥିତ ଥିଲେ ।