ଗତବର୍ଷ ଠାରୁ ନିରନ୍ତର ଭାବେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ସଚେତନ କରେଇ ଆସୁଛନ୍ତି ଶିକ୍ଷକ ଦିବସ ସାହୁ
ଭୁବନେଶ୍ୱର : ଓଡ଼ିଶା ସରକାର ଙ୍କ ରାଜ୍ୟରେ କୋଭିଡ-୧୯ ସଂକ୍ରାନ୍ତିୟ ସେବା ନିମନ୍ତେ ଏକ ଗତବର୍ଷ ଠାରୁ ସଂପୂର୍ଣ୍ଣ ଦେୟମୁକ୍ତ ଟେଲିମେଡ଼ିସିନ୍ ହେଲ୍ପଲାଇନ୍ ୧୦୪ ସେବାକୁ କାର୍ଯ୍ୟକାରୀ କରାଯାଇଥିଲା ତାହା କିଭଳି ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି ସେ ବିଷୟରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ନିବାସୀ ତଥା ଝାରବନ୍ଧ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିକୁ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ଅବଗତି ନିମନ୍ତେ ଜଣେଇଛନ୍ତି ଯାହାକି ଅନେକଙ୍କ ପାଇଁ ଲାଭପ୍ରଦ ହେବ ବୋଲି ସେ ଆଶା ବାନ୍ଧିଛନ୍ତି l
ସୂଚନା ଅନୁଯାୟୀ ଶ୍ରୀ ଦିବସ କୁମାର ସାହୁ ଝାରବନ୍ଧ ବ୍ଲକର ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଅନେକ ସାମାଜିକ କାର୍ଯ୍ୟ ପାଇଁ ସେ ବିଶେଷ ଭାବରେ ଜଣାଶୁଣା ଅଟନ୍ତି lସେ ଗତବର୍ଷ କରୋନା ମହାମାରୀ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ l ସେ ଗତ ମଇ୨୯ ତାରିଖରୁ କରୋନା ରୋଗରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଅଛନ୍ତି ଏବଂ ରାଜ୍ୟ ସରକାରଙ୍କ ୧୦୪ ନମ୍ବର କୁ ଫୋନ କରି ଡ଼ାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣେଇଛନ୍ତି lଆହୁରି ମଧ୍ୟ ସେ କହିଛନ୍ତି ଯେ ଏହି ୧୦୪ ନମ୍ବରରେ ଥରେ ରେଜିଷ୍ଟ୍ରେସନ ହେଇଗଲେ ସେମାନଙ୍କ ତରଫରୁ ରୋଗୀଙ୍କ ସୁସ୍ଥତା ପର୍ଯ୍ୟନ୍ତ ସବୁବେଳେ ତଦାରଖ କରିଥାନ୍ତି l ଏହି ସେବାକୁ ଅସଚେତନତା ଅଭାବରୁ ଅନେକ ଲୋକେ ଉପଯୋଗ କରୁନଥିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଛନ୍ତି l ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରେଇବା ସହ ଔଷଧ ସେବନ କଲେ ଅନେକାଂଶରେ ମୃତ୍ୟହାର ତଥା ଆପାତଳୀନ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ସେ ଆଶା କରିଛନ୍ତି lଗତବର୍ଷ ଏହି ୧୦୪ ସେବା ପ୍ରାରମ୍ଭ ହେବା ପ୍ରଥମ ଦିନରୁ ହିଁ ନିଜର ଛାତ୍ରଛାତ୍ରୀ ମାନଙ୍କୁ ଏହି ବିଷୟରେ ଅବଗତ କରେଇ ସିଧାସଳଖ ଫୋନ କରି କରୋନା ବିଷୟରେ ସତର୍କତା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ତାଙ୍କ ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଜରିଆରେ ହେଉ ଅବା ସିଧାସଳଖ ଗ୍ରାମବାସୀଙ୍କୁ ସଚେତନ କରିଥିବା ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ l ଏହି ୧୦୪ ସେବାଦ୍ୱାରା ଗତବର୍ଷ ପାଇକମାଲ ଅଞ୍ଚଳର ଏକ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିବା ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଏକ ବହୁମୂଲ୍ୟ ଜୀବନ ବଞ୍ଚେଇପାରିଥିବା ଦିବସ କହିଛନ୍ତି lଏହାଛଡ଼ା ସୁଦୂର ତେଲେଙ୍ଗାନା ରାଜ୍ୟରୁ ଫେରିଥିବା ଏକ ମହିଳା ପ୍ରବାସୀ ଶ୍ରମିକଙ୍କୁ ମୁମୂର୍ଷୁ ଅବସ୍ଥାରେ ଏହି ସେବାକୁ ଉପଯୋଗ କରି ଭୁବନେଶ୍ବର ସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା କରେଇବା ପାଇଁ ସମର୍ଥ ହୋଇଥିବା ଦିବସ କହିଛନ୍ତି l
ଏହି ୧୦୪ ଟେଲିମେଡିସିନ ଭାବ ଆଦାନପ୍ରଦାନକାରୀ ସ୍ୱର ରେସପନ୍ସ (ଆଇଭିଆର) ବ୍ୟବସ୍ଥାଭିତ୍ତିକ ମଡ୍ୟୁଲ୍ ରହିଛି । ଏହା ସକଳ ପ୍ରକାର ମେଡ଼ିକାଲ ଉପଦେଶ ଯୋଗାଇ ଦେବା ସହ ଲୋକମାନଙ୍କ କୋଭିଡ଼-19 ସଂପର୍କୀତ ସମସ୍ତ ସୂଚନା ପ୍ରଦାନ କରିଆସୁଅଛି। ପୁନଶ୍ଚ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ ପ୍ରଶିକ୍ଷିତ ମେଡ଼ିକାଲ ପ୍ରଫେସନାଲମାନଙ୍କ ସହାୟତାରେ ଏହିଭଳି ସେବା ଓ ସଂପଦ ଯୋଗାଇ ଦିଆଯାଉଛି । ଏହା ଫଳରେ ଲୋକମାନଙ୍କ ମନରେ ଅଯଥା ସୃଷ୍ଟି ହେଉଥିବା ଆଶଙ୍କା ଓ ଭୟକୁ ଦୂର କରାଯାଇପାରୁଛି ।ଏହି ସେବାକୁ ଉପଯୋଗ କରି ସଠିକ ସୂଚନା ପାଇବା ସଙ୍ଗେ ସଙ୍ଗେ କରୋନା ବିପକ୍ଷରେ ହେଉଥିବା ଏହି ଲଢେ଼ଇକୁ ତ୍ୱରାନ୍ୱିତ କରିହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି l