ନୂଆଦିଲ୍ଲୀ : ଶେଷରେ ଗୁରୁତ୍ୱପୂର୍ଣ୍ଣ ତଥା ସମୟ ଉପଯୋଗୀ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର | ଜୁନ୍ 21 ତାରିଖରୁ 18 ବର୍ଷରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣା କୋଭିଡ୍ ଟିକା ମିଳିବ | ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି | ଭାରତ ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଟିକା ମଧ୍ୟରୁ 75 ପ୍ରତିଶତ ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇ ଦେବେ। ଜୁନ୍ 21 ରୁ ଭାରତ ସରକାର ଦେଶର ପ୍ରତ୍ୟେକ ରାଜ୍ୟରେ 18 ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବେ। ଆସନ୍ତା ଜୁନ୍ ୨୧ ତାରିଖ ସୋମବାର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସରୁ ରାଜ୍ୟମାନେ ଏହି ଟିକା ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ପଇସା ଦେଇ ଟୀକା ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘରୋଇ ମେଡ଼ିକାଲ୍ ମାନେ ୨୫% ଟିକା ପୂର୍ବଭଳି କମ୍ପାନୀମାନଙ୍କଠାରୁ କିଣିପାରିବେ ।ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କ ଓ କୋଭିଡି ଫ୍ରଣ୍ଟ ଲାଇନ ୱାର୍କର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କେନ୍ଦ୍ର ସରକାର ମାଗଣା ଟୀକା ଯୋଗାଇ ଆସୁଛନ୍ତି |
ସବୁ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ଟୀକା ମାଗଣାରେ ଯୋଗାଇ ଦିଅନ୍ତୁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଁ ଆସୁଥିଲା | ବିଭିନ୍ନ ରାଜ୍ୟ ପକ୍ଷରୁ ମଧ୍ୟ ଏଠି ନେଇ କେନ୍ଦ୍ର ମଧ୍ୟ ଅନୁରୂପ ଦାବି ହୋଇ ଆସୁଥିଲା | ରାଜ୍ୟମାନଙ୍କରେ ଟିକାର ଅଭାବ ଏବଂ ଟିକା ସଂଗ୍ରହ ଦାୟିତ୍ୱ କେନ୍ଦ୍ର ସରକାର ନେବା ପାଇଁ ରାଜ୍ୟ ସରକାରମାନେ ଚାପ ପକାଇଥିଲେ । କାରଣ ରାଜ୍ୟ ସରକାରମାନେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ମଧ୍ୟ ଏଥିପାଇଁ କମ୍ପାନୀମାନେ ଆଗ୍ରହ ଦେଖାଇ ନ ଥିଲେ । କେନ୍ଦ୍ର ସରକାରଙ୍କ ସହ ସିଧାସଳଖ କଥା ହେବା ପାଇଁ ସେମାନେ ଚାହିଁଥିଲେ । ଏହି ଦୃଷ୍ଟିରୁ କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଦେଉ ବୋଲି ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଶେଷରେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି |୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟମାନେ ଟୀକା ପାଇବା ନେଇ ଯେଉଁ ସମସ୍ୟା ବା ଅଚଳାବସ୍ଥା ସୃଷ୍ଟି ହେଉଥିଲା ବା ଅନିଶ୍ଚିତତା ଦେଖା ଦେଇଥିଲା, ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ୱାଭାବିକ ହେବ |