କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ - କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଉଦ୍ଦେଶ୍ୟରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ୧୦ଟି ପ୍ରଶ୍ନ 

Power Tariff Hike: Congress Slams Odisha Government

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶରେ କରୋନାଜନିତ ସ୍ଥିତି ଭୟଙ୍କର । ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଲା ଓ ମୃତ୍ୟୁ ସଂଖ୍ୟା ୨୫୦୦ ହୋଇଛି । ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର । ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍ ଅଧିକ । ଦିନକୁ ୫ ହଜାରରୁ ଅଧିକ ଆକ୍ରାନ୍ତ । ଦେଶରେ ଅମ୍ଳଜାନ ଅଭାବରୁ ଶତାଧିକ ରୋଗୀ ମରୁଛନ୍ତି । ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ ଓ ବେରୋଜଗାରୀ ବଢ଼ିବ । ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରିଆ ଶାସକଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ୍ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ମତବ୍ୟକ୍ତ କରିଛନ୍ତି ।

 ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସେ ଦାୟୀ କରିଛନ୍ତି । ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ ଟିକାର ମୂଲ୍ୟ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ପ୍ରାଇଭେଟ୍ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଭଳି  ତାରତମ୍ୟ କାହିଁକି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି |

ଦେଶର ତିନିଜଣ ବିଶିଷ୍ଟ ଚିକିତ୍ସକ ଏମ୍‌ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ନରେଶ ତ୍ରେହାନ୍ ଖୋଲାଖୋଲି ଭାବେ କହିଛନ୍ତି ଯେ ବ୍ୟବହୃତ ରେମ୍‌ଡେସିଭର୍ ଆଦୌ ରାମବାଣ ନୁହେଁ, ବରଂ ମାସ୍କ ଓ ସାମାଜିକ ଦୂରତା ହିଁ ସଂକ୍ରମଣରୁ ରକ୍ଷାର ବଡ ବିକଳ୍ପ । ମୋଦି-ଶାହା ଏହା ଉପରେ ଗୁରୁତ୍ୱ ଦେଇ ଅନ୍ତତଃ ତାଙ୍କ ଦଳର ନେତାନେତ୍ରୀମାନଙ୍କୁ ମୁହଁରେ ମୁଖା ବାନ୍ଧିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ କାନୁନଗୋ ମତବ୍ୟକ୍ତ କରିଛନ୍ତି | 

ଶ୍ରୀ କାନୁନଗୋ କହିଛନ୍ତି ଯେ, ଏକଥା ଜାଣୁ ଯେ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତାମାନେ କେବଳ ଦିଲ୍ଲୀର ତାଙ୍କ ନେତା ଓ ସରକାରଙ୍କ ବାର୍ତା ବିନା ପ୍ରଶ୍ନରେ ପ୍ରଚାର କରିଥାନ୍ତି । ଏମାନଙ୍କ କଥାର ମୂଲ୍ୟ ସେମାନଙ୍କ ପାଖରେ ନାହିଁ ଅବା ଏଠିକାର ପ୍ରଶ୍ନ ସେଠି ପହଂଚାଇବାର କ୍ଷମତା ନାହିଁ । ତଥାପି ଏହି ଦଶଟି ପ୍ରଶ୍ନର ଉତର ଦିଲ୍ଲୀରୁ ଆଣି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି ଆଶା କରୁଛୁ ବୋଲି ଶ୍ରୀ କାନୁନଗୋ ବିଜେପି ଉଦ୍ଦେଶ୍ୟରେ ୧୦ଟି ପ୍ରଶ୍ନ ପଚାରିଛନ୍ତି |  

ପ୍ରଶ୍ନ ୧ – କେବଳ ମହାରାଷ୍ଟ୍ରରେ କରୋନା ଆତଙ୍କ ପୂର୍ବରୁ ଆରମ୍ଭ ହୋଇଥିଲା । ପରେ ଏହା ଦେଶ ତମାମ୍ ଅତି କ୍ଷୀପ୍ରଗତିରେ ଆକ୍ରାନ୍ତ ସଂଖ୍ୟା ମାଡିଗଲା । ଏପରିକି ଟୀକା ନେଇଥିବା ଲୋକ ଆକ୍ରାନ୍ତ ହେବା ଓ ମୃତ୍ୟୁବରଣ କରିବା ଦେଖାଗଲା । ଏହାର କ୍ଷିପ୍ରତା ଓ ‘କୁମ୍ଭମେଳା’ର ଗଙ୍ଗାସ୍ନାନ ପରେ ଓ ଖୋଲାମେଲା ନିର୍ବାଚନ ହେତୁ ହୋଇଥିବା ଅସତ୍ୟ କି?

ପ୍ରଶ୍ନ ୨ – ଲକ୍ଷ ଲକ୍ଷ ଲୋକ କୋଭିଡ୍ ନିୟମ ପାଳନ ନକରି ଗୋଟିଏ ଜାଗାରେ ଏକତ୍ରୀତ ହେଲେ, ବୁଡ ପକାଇଲେ ଓ ଏକାଠି ହେଲେ । ଏହା ଆକ୍ରାନ୍ତ ସଂଖ୍ୟା ବଢ଼ିବା, ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ହେଲା । ଏଥିପାଇଁ କୁମ୍ଭମେଳାକୁ ଅନୁମତି ଦେଇଥିବା ଉତରାଖଣ୍ଡ ସରକାର, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ଦାୟୀ ନା ନାହିଁ? ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି?

ପ୍ରଶ୍ନ ୩ – କୁମ୍ଭମେଳାରେ ସମବେତ ଅମାନିଆମାନଙ୍କ ବିରୁଦ୍ଧରେ କୋଭିଡ୍ – ୧୯ର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି? କେତେ ଜୋରିମାନା ଆଦାୟ ହୋଇଛି ଓ କେତେଜଣଙ୍କୁ ତତ୍‌କ୍ଷଣାତ୍ ଆଇସୋଲେସନ୍‌କୁ ପଠାଯାଇଛି ତା’ର ତଥ୍ୟ ରଖନ୍ତୁ ସରକାର ।

ପ୍ରଶ୍ନ ୪ – ବର୍ତମାନ ବିଭିନ୍ନ ରାଜ୍ୟର ଡାକ୍ତରଖାନା ମାନଙ୍କରେ ଅକ୍ସିଜେନ୍ ଅଭାବ ହେତୁ ଆକ୍ରାନ୍ତ ଅନେକ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା କ’ଣ ଅସତ୍ୟ? ଏହାର ପୂର୍ବାନୁମାନ ଓ ପୂର୍ବପ୍ରସ୍ତୁତି କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହି ଦାୟିତ୍ୱ ତୁଲାଇବା ପରିବର୍ତେ ମୋଦି-ଶାହା ଓ ତାଙ୍କ ମନ୍ତ୍ରୀ ପରିଷଦ ଭୋଟ୍ ନିଶାରେ ଘୁରି ବୁଲିବା କେତେଦୂର ଯଥାର୍ଥ । ବାହାଦୂରୀ ଦେଖାଇବା ପାଇଁ ବିଦେଶକୁ ୯୨୯୪ ମେଟ୍ରିକ୍ ଟନ୍ ଅମ୍ଳଜାନ ରପ୍ତାନୀ କାହିଁକି କରାଗଲା?

ପ୍ରଶ୍ନ ୫ – ବିଭିନ୍ନ ରାଜ୍ୟ ଉଠାଇଥିବା ଟୀକାର ଅଭାବ ସତ ନା ମିଛି? ମୋଦୀ ଟୀକାର ପ୍ରଚାର କରି ‘ଦବାଇ ଭି କଡାଇ ଭି’ କୁହାଯାଉଥିବା ବେଳେ ରାଜ୍ୟର ଓ ଡାକ୍ତରଖାନାମାନଙ୍କରେ ଆବଶ୍ୟକତା ପୂରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏଥିରୁ ନିବୃତ ରହି ଭୋଟ ପ୍ରଚାରରେ ମାତିଥିବା ମୋଦି-ଶାହା ଏଥିପାଇଁ ଦାୟୀ ହେବେ ନା ନାହିଁ?

ପ୍ରଶ୍ନ ୬ - ଆସନ୍ତା ୬ ମାସ ପାଇଁ ଦେଶରେ କେତେ ଟୀକାର ଆବଶ୍ୟକତା ଅଛି, କେଉଁ ରାଜ୍ୟର କେତେ ଦରକାର ଓ ଏଥିପାଇଁ କି କି ବ୍ୟବସ୍ଥା କରାଯାଇଛି? ଓଡିଶାବାସୀଙ୍କୁ ଓଡିଶାର ଆବଶ୍ୟକତା ଓ ଟୀକା ଯୋଗାଣ ବିଷୟରେ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତତଃ ଜଣାଇବେ ବୋଲି ଆଶା କରୁ ।

ପ୍ରଶ୍ନ ୭ - ଅକ୍ସିଜେନ୍ ଅଭାବରୁ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହେଲାଣି ଓ ହେବାକୁ ଯାଉଛି । ଏ ସଂପର୍କରେ କିଛି ବିକଳ୍ପ ବ୍ୟବସ୍ଥା କରାଯାଇଛି କି? କେନ୍ଦ୍ର ପ୍ରତିନିଧିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତର ରଖିବେ କି? ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ୍ ଅମ୍ଳଜାନ ଆମଦାନୀର ପ୍ରତିଶ୍ରୁତି କୁଆଡେ ଗଲା?

ପ୍ରଶ୍ନ ୮ - ପ୍ରବାସୀଙ୍କ ଘରବାହୁଡା ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ କି ଯୋଜନା ଅଛି? ରାଜ୍ୟରେ ସବୁଦିନ କେନ୍ଦ୍ର ସରକାରଙ୍କ ବାହାଦୁରୀ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କୁ ସେହିସବୁ ରାଜ୍ୟରେ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିନାହାନ୍ତି କାହିଁକି?

ପ୍ରଶ୍ନ ୯ – କରୋନାର ଭୟାବହତା ଦୃଷ୍ଟିରୁ ପୂର୍ବରୁ ବଢ଼ି ଆସିଥିବା ବେରୋଜଗାରୀ ଓ ବେକାରୀ ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିବ ଓ ଅର୍ଥନୀତି ନିମ୍ନଗାମୀ ହେବ । ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ନା ନାହିଁ? 

ପ୍ରଶ୍ନ ୧୦ – ମୋଦୀ-ଶାହା ଓ ତାଙ୍କ ମନ୍ତ୍ରୀମାନେ ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ୫ଟି ରାଜ୍ୟ ନିର୍ବାଚନରେ ଯେପରି ଲକ୍ଷ ଲକ୍ଷ ଲୋକଙ୍କୁ କୋଭିଡ ନିୟମ ଉଲ୍ଲଘନ କରି ଏକାଠି କରାଇଲେ, ସେଥିପାଇଁ ସେମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ | 

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault