ନୂଆପଡା(ଅମିତ ପୁରୋହିତ) ; ଛତିଶଗଡର ସୀମାନ୍ତ ନୂଆପଡା ଜିଲ୍ଲାରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ କରୋନା ସ୍ଥିତି ର ଅନୁଧ୍ୟାନ ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ ମହାପାତ୍ର ଦିନିକିଆ ନୂଆପଡା ଗସ୍ତରେ ଆସିଥିଲେ । ସୂଚନାନୁସାରେ ଦୁହେଁ ସ୍ୱତନ୍ତ୍ର ବିମାନ ଯୋଗେ ଗୋତମା ଉଡାଜହାଜ ପଡିଆରେ ଓହ୍ଲାଇ ସିଲଦା ନିକଟସ୍ଥ କୋଭିଡ ହସପିଟାଲ ପରିଦର୍ଶନ କରିଥିଲେ । ସେଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଇ ବିଭାଗୀୟ ଅଧିକାରୀ ଙ୍କ ସହିତ କୋଭିଡ ସ୍ଥିତି ତଥା ମୁକାବିଲା ଉପରେ ସମୀକ୍ଷା କରିଥିଲେ । ପରେ ଏକ ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାକୁ ଯାଇ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି ବୋଲି କହିଥିଲେ । ତାଙ୍କ ସହ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶକ ସି ବି କେ ମହାନ୍ତି ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।