ଶାସକ ବିଜେଡି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ
ଭୁବନେଶ୍ୱର : ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାର ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିବା ସହ ତାଙ୍କର ମିଛ ବାହାଷ୍ପୋଟ ଆଜି ୪.୫ କୋଟି ଓଡିଆଙ୍କ ସମ୍ମୁଖରେ ପଦାରେ ପଡିଛି । ସରକାରୀ କଳ ଓ ପୋଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଛି । କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇ ରହିଯାଇଛି ବୋଲି ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପିପିଲି ଜନମତ ବିଜେପି ଆଡକୁ ଢଳିବା ଦେଖି ଶାସକ ବିଜୁ ଜନତା ଦଳ ଛାନିଆ ହୋଇପଡିଛି । ପିପିଲି ଉପ ନିର୍ବାଚନକୁ ହାତେଇବା ନିମନ୍ତେ ବିଜେଡି ସମସ୍ତ ପ୍ରକାରର କଳ, ବଳ, ଅର୍ଥ ଓ ଅନୈତିକ କୈାଶଳକୁ ବ୍ୟବହାର କରୁଥିବାର ଆଜି ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଆଜି ପିପିଲି ନିର୍ବାଚନମଣ୍ଡଳୀ ହାଟସାହି ଅନ୍ତର୍ଗତ ବାଜପେୟୀ ଛକଠାରେ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗାଡିରେ ଥିବା କଳା ବ୍ୟାଗରେ ବିପୁଳ ଟଙ୍କା ସହ ଶାସକ ବିଜେଡି ଦଳୀୟ ପ୍ରଚାର ସାମଗ୍ରୀ, ଶଙ୍ଖ ଚିହ୍ନ ଥିବା ଟୋପି ଓ ଉତରୀୟ ଆଦି ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଗାଡିରେ ଶାସକ ଦଳ ଲୋକ ଏବଂ ସେମାନଙ୍କ ସହ କିଛି କର୍ମୀ ଥିଲେ । ଦୁର୍ଘଟଣା ପରେ ପୋଲିସର ଉପସ୍ଥିତି ଓ ସହାୟତାରେ ବିଜେଡି କର୍ମୀମାନେ ଦୁର୍ଘଟଣା ହୋଇଥିବା ଗାଡିରୁ ଅନ୍ୟ ଏକ ଗାଡିକୁ ଟ୍ରାନ୍ସଫର କରିଥିଲେ । ପୋଲିସ ଏସକର୍ଟରେ ଶାସକ ବିଜେଡିର ବିପୁଳ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା । ପୋଲିସ ଏସକର୍ଟରେ ଶାସକ ବିଜେଡି ବିପୁଳ କଳା ଟଙ୍କା ନିର୍ବାଚନରେ ବ୍ୟବହାର କରୁଛି ଯାହାକି ଗଣତନ୍ତ୍ର ପ୍ରତି ଏକ ଉପହାସ ବୋଲି ଶ୍ରୀ ସାମଲ କହିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ଗାଡିର ଫଟୋ ଓ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଅର୍ଥ ଥିବା କଳା ରଙ୍ଗର ବ୍ୟାଗର ଫଟୋ ସହ ଦଳୀୟ ପ୍ରଚାର ପାଇଁ ବ୍ୟବହୃତ ପ୍ରଚାର ସାମଗ୍ରୀର ଫଟୋ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ପ୍ରଦାନ କରିଛୁା ଏହି ସଂପର୍କରେ ଏକ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ କରାଯାଇଛି ବୋଲି ଶ୍ରୀ ସାମଲ ଜଣାଇଛନ୍ତି ।
ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ସୋନାଲୀ ସାହୁ ଏବଂ ଲିଗାଲ କୋର୍ଟିନେଟର ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।