ଝାରସୁଗୁଡ଼ା :(ସୁଭାଷ ସହାରେ) -ସାଇବର ଅପରାଧ କ୍ଷେତ୍ରରେ ଲିପ୍ତ ଥିବା ଅପରାଧୀଙ୍କୁ ଧରିବାରେ ଦ୍ବିତୀୟ ଥର ପାଇଁ ସଫଳତା ଲାଭ କରିଛି ଝାରସୁଗୁଡ଼ା ପୋଲିସ। ଗତ ୨୪ ତାରିଖରେ ବେଲପାହାଡ଼ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଏକ ଅଭିଯୋଗ ଭିତ୍ତିରେ ଏହି ଠକମାନଙ୍କୁ ଧରିବାକୁ ପୋଲିସ ସକ୍ଷମ ହୋଇଥିଲେ।
ସୂଚନା ଅନୁଯାୟୀ, ବେଲପାହାଡ଼ରେ ରେଳ ବିଭାଗରେ କାର୍ଯ୍ୟରତ ପଶ୍ଚିମବଙ୍ଗର ପୁରୁଲିଆର ଜଣେ ବ୍ୟକ୍ତି ଶିବାଶିଷ କର୍ମକାର, ଯିଏ କି ବେଲପାହାଡ଼ର ଗାନ୍ଧୀନଗରରେ ରହନ୍ତି ସେ ଏକ ଠକେଇର ଶିକାର ହୋଇଥିବା ନେଇ ବେଲପାହାଡ଼ ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଗତ ୨୨ ତାରିଖରେ ପ୍ରାଇଜ ମନି ବାବଦରେ ତାଙ୍କର ଫୋନପେରେ ଏକ ଲିଙ୍କ ଆସିଥିଲା। ଏହାପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୧୯୦୦ ଟଙ୍କା ଓ ପରେ ୩୬,୦୦୦ ଟଙ୍କା କଟି ଯାଇଥିଲା। ଏହାପରେ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବ୍ରଜରାଜନଗର ଏସଡିପିଓ ଦିଲୀପ କୁମାର ଦାସ, ବ୍ରଜରାଜନଗର ପୋଲିସ ଷ୍ଟେସନର ଏସ ଆଇ ଶ୍ରୀ ପି କେ ସ୍ବାଇଁ ଓ ଝାରସୁଗୁଡ଼ା ଆଇଟି ସେଲକୁ ନେଇ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା।
ପ୍ରଥମେ ପୋଲିସ ପକ୍ଷରୁ ଫ୍ଲିପକାର୍ଟ, ପେୟୁ ତଥା ସିଡିଆର ଭଳି ଅନଲାଇନ ମାର୍କେଟିଂ ଏଜେନ୍ସି ସହ ଯୋଗାଯୋଗ କରାଯାଇଥିଲା। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଲଖନପୁର ଗ୍ରାମରେ ଚଢ଼ାଉ କରାଯାଇ ତିନିଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା। ମାତ୍ର ଅନ୍ୟ ଜଣେ ଅପରାଧୀ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଗିରଡିହ ଜିଲ୍ଲାର ଅହଲ୍ୟାପୁରର ରସନଞ୍ଜୋରୀ ନିବାସୀ ଗୁଡ୍ଡୁଲାଲ ରାଣା(26) ପି: ମାଥୁର ରାଣା, ପପ୍ପୁ ରାଣା (32) ପି:ମାଥୁର ରାଣା, ଗୋପାଲ ରାଣା (34) ପି: କିଷ୍ଟୁ ରାଣା। ଫେରାର ହୋଇଥିବା ଅଭିଯୁକ୍ତ ଜଣକର ନାମ ମଧ୍ୟ ସେହି ଗ୍ରାମର ବିରଜୁ ରାଣା ,ପି: ମାଥୁର ରାଣା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
ଅଭିଯୁକ୍ତମାନଙ୍କ ସ୍ବୀକାରୋକ୍ତି ଅନୁଯାୟୀ, ସେମାନେ ନିଜ ଜିଲ୍ଲା ନିକଟବର୍ତ୍ତୀ ଜାମତରାରୁ ଏହିପରି ଅନଲାଇନ ଠକେଇର ତାଲିମ ନେଇଥିଲେ। ପ୍ରଥମେ ସେମାନେ ନେଟରୁ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କ ଫୋନ ନମ୍ବର ସଂଗ୍ରହ କରି ସେମାନଙ୍କୁ ପୁରସ୍କାର ଜିତିଥିବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଉଥିଲେ। ପରେ ଏହି ଟଙ୍କାକୁ ଅନଲାଇନ ସପିଂରେ ଖର୍ଚ୍ଚ କରୁଥିଲେ। ପୋଲିସ ଅଭିଯୁକ୍ତମାନଙ୍କଠାରୁ ୯ଟି ମୋବାଇଲ, ଏକ ସାଉଣ୍ଡ ସିଷ୍ଟମ ଓ ନଗଦ ୧୧,୦୦୦ ଟଙ୍କା ଜବତ କରିଛି। ଶେଷ ସୂଚନା ଅନୁଯାୟୀ, ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।