ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ କୋରୋନା ର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୂଖ୍ୟତଃ ଛତିଶଗଡ଼ ରାଜ୍ୟରେ ଇତିମଧ୍ୟରେ ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାର ପ୍ରଭାବରେ ବରଗଡ଼ ଓ ସୀମାନ୍ତ ବର୍ତୀ ଅଂଚଳରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ର ଭୟାବହତା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଜିଲ୍ଲାର ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଓ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଆବାସିକ) ର ସ୍ଥିତି ବୁଲି ଦେଖିବା ସହିତ ଜରୁରୀ କାଳୀନ ପରିସ୍ଥିତି ପାଇଁ ଉଭୟ ବିଦ୍ୟାଳୟ ର ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଜବାହର ନବୋଦୟ ବିଦ୍ୟାଳୟ ରେ ଜରୁରୀକାଳୀନ ପରିସ୍ଥିତି ପାଇଁ 48 ଜଣ ଛାତ୍ର ଓ 48 ଜଣ ଛାତ୍ରୀ ଙ୍କର ସଂଗରୋଧ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 10 ଜଣ ଛାତ୍ର ଓ 10 ଜଣ ଛାତ୍ରୀ ଙ୍କର ସଂଗରୋଧ ପାଇଁ ବ୍ୟବସ୍ଥା କରାଯାଇଛି ।
କୋରୋନା ମହାମାରୀ ର ପ୍ରକୋପ ବଢି ଚାଲିଥିବା ବେଳେ ପାଇକମାଲ ଅଂଚଳର ଜଣେ ବ୍ୟବସାୟୀ ଙ୍କର ଦୁଇ ଗୋଟି ଦୋକାନକୁ ପ୍ରଶାସନ ତରଫରୁ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଉକ୍ତ ବ୍ୟବସାୟୀ ଜଣକ କୋଣସି ନିୟମ ପାଳନ କରୁନଥିବା ଅଭିଯୋଗ ହୋଇ ଆସୁଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଲୋକେ ବର୍ତମାନ ସୁଦ୍ଧା ଏହି ମହାମାରୀର ଗମ୍ଭୀରତାକୁ ବୁଝିବା ପାଇଁ ନାରାଜ ।
ପାଇକମାଲ ପରେ ଉପଜିଲ୍ଲାପାଳ ଝାରବନ୍ଧ ବ୍ଲକ ଯାଇ ସେଠାରେ କୋରୋନା ବାବଦରେ ଏକ ସମୀକ୍ଷା ବୈଠକ କରିବା ସହିତ ଝାରବନ୍ଧ ମାର୍କେଟ ବୁଲି ସଚେତନ କରିବା ସହିତ କିଛି ଲୋକଙ୍କୁ ତାଗିଦ ମଧ୍ୟ କରିଥିଲେ । ପାଇକମାଲ ରେ ଉପଜିଲ୍ଲାପାଳ ଙ୍କର ସହିତ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର ବିଇଓ ଶ୍ରୀ ଚୁଡାମଣି ବାରିକ ଓ ଝାରବନ୍ଧ ରେ ବିଡ଼ିଓ ଶ୍ରୀ ଦେବାଶିଷ ସିନ୍ହା ଓ ବ୍ଲକର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।