ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ କରାଇଲେ ଥଇଥାନ
ପଦ୍ମପୁର( ଶାସକ ପ୍ରଶାସକ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ |
ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା ଟେମରି କୁ ଫେରୁଥିବା ସମୟରେ ଭୁଲିଆବନ୍ଧ ଛକ ପାଖାପାଖି ଦେଖିବାକୁ ପାଇଲେ ଯେ ଜଣେ ପାଖାପାଖି ୭୦ ବୟସ୍କ ବୃଦ୍ଧା ଏହି ପ୍ରଚଣ୍ଡ ଖରାରେ ରାସ୍ତାରେ ଯାଉଥିଲେ| ଏକାକୀ ବୃଦ୍ଧା ଜଣକ କାହିଁକି ଏଭଳି ଖରାରେ ଯାଉଛନ୍ତି ବୋଲି ଗାଡ଼ି ଅଟକାଇ ପଚାରି ଜାଣିବାକୁ ପାଇଲେ ଯେ ସେହି ବୃଦ୍ଧା ଜଣକର ମାନସିକ ସ୍ଥିତି ଠିକ ନାହିଁ |
ଏଭଳି ଟାଣ ଖରାରେ ଯାଉଥିଲେ ମଧ୍ୟ କେହି ତାଙ୍କୁ ଆହା କରି ବସ କିମ୍ବା କୌଣସି ଚାରିଚକିଆ ଗାଡ଼ି ବସାଉନଥିବା କୋହଭରା କଣ୍ଠରେ କହିଥିଲେ. ତାପରେ ଦୀପା ତାଙ୍କୁ ରଖିଥିବା ପାଣି ପ୍ରଦାନ କରିଥିଲେ ଏବଂ ତାଙ୍କ ଠିକଣା ପଚାରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବୃଦ୍ଧାଜଣକର ମାନସିକ ସ୍ଥିତି ଠିକ ନ ଥିବାରୁ ସେ ସଠିକ ଭାବରେ କହିପାରୁନଥିଲେ | ପ୍ରଥମେ ତାଙ୍କୁ ଦୀପା ଯାଇଥିବା ବାଇକରେ ବସେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଥିଲେ|
କିଛିସମୟ ମଧ୍ୟରେ ପାଇକମାଲ ଅଗ୍ନିଶମ ବିଭାଗର ଗାଡ଼ି ଆସିବା ପରେ ସେହି ମହିଳା ଜଣକୁ ପାଇକମାଲ ସ୍ଥିତ ଡାକ୍ତରଖାନାକୁ ନିଆଗଲା. ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶ୍ରୀଧର ପଧାନ, ପାଇକମାଲ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏବଂ ଶିକ୍ଷକ ଦିବସ କୁମାର ସାହୁଙ୍କ ସହାୟତାରେ ପାଇକମାଲ ସ୍ଥିତ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି.ପୋଲିସ ର ପ୍ରାଥମିକ ତଦନ୍ତ ପରେ ସେହି ବୃଦ୍ଧା ଜଣକ ପଦ୍ମପୁର ରଜାପଡ଼ାର ଏବଂ ତାଙ୍କ ନାମ କମଳା କୁମ୍ଭାର ବୋଲି ଜଣାପଡିଛି | ସେ ଏହି ବୟସର ଅପରାହ୍ନରେ ମଧ୍ୟ ବୁଲାବୁଲି କରି ଜୀବନ ଅତିବାହିତ କରୁଥିବା ଜଣାପଡ଼ିଛି |
ଦୀପାଙ୍କ ଉପସ୍ଥିତ ବୁଦ୍ଧି ତଥା ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ପୋଲିସ ବିଭାଗ ସମନ୍ୱୟରେ ଜଣେ ଅସହାୟ ବୃଦ୍ଧାଙ୍କ ଥଇଥାନ ହୋଇପାରିଥିବାରୁ ଲୋକେ ତାଙ୍କର ଏହି ମହତ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି |