ହେଡଲାଇନସ୍:

ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟିଲା ଜିଲ୍ଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଙ୍ଗାଲି/ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ଗତକାଲି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ପଞ୍ଚାୟତ କୁସୁମଡ଼ିହି ଗ୍ରାମ ର ଦାମୋଦର ବଗର୍ତ୍ତି ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ କୁ ନେଇ ଅଞ୍ଚଳ ରେ ଖେଳି ଯାଇଛି ଶୋକ ର ଛାୟା ।  କେବଳ ପରିବାର ବନ୍ଧୁ ବର୍ଗ ନୁହଁନ୍ତି ସମଗ୍ର ଚାଷୀକୂଳ ନିରାଶ, ଆତଙ୍କିତ ଓ ଭୟଭୀତ । ରାଜ୍ୟ ସରକାର ଙ୍କର ଚାଷୀ ମାରଣା ନୀତି ଯୋଗୁଁ କେଉଁ ପରିବାର ଉପରେ କେତେବେଳେ କି ପ୍ରକାର ଦୁଃଖ କଷ୍ଟ ମାଡିଆସିବ ତାକୁ ନେଇ ସମସ୍ତେ ଚିନ୍ତିତ । 

         ଆଜି ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୁସୁମଡ଼ିହି ଗ୍ରାମ କୁ ଯାଇ ମୃତକ ଙ୍କ ପରିବାର ଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ଓ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ପରିବାର ସଦସ୍ୟ ଙ୍କ ଅଭିଯୋଗ ଅନୁସାରେ 

ମୃତ ଦାମୋଦର ବଗର୍ତ୍ତି ସମୁଦାୟ ପାଞ୍ଚ ଏକର ଅଣଜଳସେଚିତ ଜମି ରେ ଚାଷ କରନ୍ତି । କିନ୍ତୁ ରବି ଚାଷରେ ଜଳକଷ୍ଟ ରୁ ବଞ୍ଚିବା ପାଇଁ ଗଭୀର ନଳକୂପ ଖୋଲି ଚାଷ କରନ୍ତି । ଗତ ଖରିଫ ଚାଷ ରେ ତାଙ୍କର ଅଧିକ ଧାନ ଅମଳ ହୋଇଥିଲେ ବି ସରକାରୀ ନିୟମ ମୁତାବକ ଏକର ପ୍ରତି ୧୩ କ୍ୱିଣ୍ଟାଲ ହିସାବ ରେ ୬୫ କ୍ୱିଣ୍ଟାଲ ଧାନ ବିକ୍ରି କରିବା କଥା, କିନ୍ତୁ ସରକାରୀ କାଗଜାତ ରେ ତ୍ରୁଟି ରହିଥିବାରୁ ମାତ୍ର ୨୬ କ୍ୱିଣ୍ଟାଲ ଧାନ ବିକ୍ରି କରି ପାରିଥିଲେ । ବଳକା ଉପାର୍ଜିତ ଧନ କୁ ଖୋଲା ବଜାର ରେ ବହୁତ କମ ମୂଲ୍ୟ ରେ ବିକ୍ରି କରିଥିଲେ । ଯାହା ଫଳରେ ତାଙ୍କୁ ବହୁତ ଅର୍ଥ ହାନି ହୋଇଥିଲା ଓ ବହୁ କ୍ଷତି ସହିଥିଲେ । ଚଳିତ ରବିଚାଷ ରେ ଯେତେବେଳେ ସେ ପଞ୍ଜିକୃତ କରିବା ପାଇଁ ଚାହିଁ ଥିଲେ ଓ ପେକ୍ସ କୁ ଯାଇଥିଲେ ସରକାରୀ ନିୟମ ମୁତାବକ ମାତ୍ର ଏକ ହେକ୍ଟର ଜମି ପଞ୍ଜିକୃତ ହୋଇପାରିବ ଶୁଣି ଫେରି ଆସିଥିଲେ । ଯଦିଓ ସେ ଗଭୀର ନଳକୂପ ଜରିଆରେ ଜଳସେଚନ କରି ସେଇ ପାଞ୍ଚ ଏକର ଜମିରେ ଚାଷ କରୁଛନ୍ତି । ଯଦି ପଞ୍ଜିକୃତ ଏକ ହେକ୍ଟର ର ଉତ୍ପାଦିତ ଧାନ ହିଁ କେବଳ ସରକାରୀ ବ୍ୟବସ୍ଥା ରେ ବିକ୍ରି ହୋଇପାରିବ ତ ପୁଣି ଏଇ ରବିଚାଷ ର ବଳକା ଧାନ କୁ କେଉଁଠି ଓ କେତେ ଦର ରେ ବିକ୍ରି କରିବେ ଏବଂ ପୁଣି ଆର୍ଥିକ କ୍ଷତି ସହିବେ ବୋଲି ଭାବି ଭାବି ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

         ଗତ ଖରିଫ ଚାଷ ର ଉତ୍ପାଦିତ ଧାନ ବିକ୍ରି ର ସମସ୍ୟା ରେ ଚାଷୀକୁଳ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି । ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ବିଜେପି  ଗତ ଦୁଇ ମାସ ରୁ ଉର୍ଦ୍ଧ୍ବ ସମୟ ହେଲାଣି ବିଭିନ୍ନ ସ୍ତରରେ ଆନ୍ଦୋଳନ କରିଆସୁଛି ହେଲେ ନବୀନ ସରକାର ଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଧାନ ମଣ୍ଡିରେ ବିକ୍ରି ପୂର୍ବରୁ ବେନିୟମ କଟନୀ ଛଟନି, ହଜାର ହଜାର ଚାଷୀ ଙ୍କ ଟୋକାନ ଲେପ୍ସ କରିଯାଇଛି, ରାଜ୍ୟର ମଣ୍ଡି ମାନଙ୍କରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡି ରହିଛି, ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି । ଏତିକି ରେ ସାରିଯାଇ ନାହିଁ ଚାଷୀ ଙ୍କ ଦୁଃଖ ଯନ୍ତ୍ରଣା । ଚଳିତ ରବିଚାଷ ର ପଞ୍ଜିକରଣ କୁ ବହୁତ ଜଟିଳ କରିଛନ୍ତି ସରକାର ଓ ପଞ୍ଜିକରଣ ପାଇଁ ବହୁତ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ସମସ୍ୟା ବର୍ତମାନ ଚାଷୀ ଙ୍କ ମୁଣ୍ଡ ରେ ପୁଣି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେଲାଣି । ରାଜ୍ୟ ସରକାର ଙ୍କର ଏଭଳି ଚାଷୀମାରଣା ନୀତି ଯୋଗୁଁ ଆଗାମୀ ଦିନରେ ଚାଷୀ ଙ୍କ ସମସ୍ୟା ଆହୁରି ଗୁରୁତର ହେବ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଅଭିଯୋଗ କରିଛନ୍ତି ।

      ଆଜିର ଏହି ପ୍ରତିନିଧି ଦଳ ରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳା ଧାରୁଆ, ରମେଶ ପ୍ରଧାନ, ପ୍ରଦୀପ ବେହେରା, ସୁରେନ୍ଦ୍ର ପ୍ରଧାନ, ମିଲୁ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

       

0
0
0
s2sdefault