ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜି ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଏକ କ୍ରେତା ବିକ୍ରେତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଉତ୍ପାଦିତ ହେଉଥିବା ସମସ୍ତ କୃଷି ଓ ଉଦ୍ୟାନ ଭିତ୍ତିକ ସାମଗ୍ରୀ ସହ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଯଥା ଲଙ୍କା , ଅଦା , ବଡ଼ି , ପାମ୍ପଡ଼ , ଆଚାର , ଲଡ଼ୁ , ପିଠା , ବାସନ ମଜା ଓ ଫିନାଇଲ ଆଦି କିପରି ଭାବରେ ବିକ୍ରୀ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ କ୍ରେତାମାନେ ନିଜ ନିଜ ସଂସ୍ଥାର ଆବଶ୍ୟକ ମୁତାବକ ସାମଗ୍ରୀ କ୍ରୟ ନିମନ୍ତେ ଆଲୋଚନା କରିଥିଲେ । ଉଦ୍ୟାନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଉଦ୍ୟାନ ଭିତ୍ତିକ ପ୍ରସ୍ତାବ ପ୍ରସ୍ତୁତ , ସ୍ୱତନ୍ତ୍ର କାର୍ଯ୍ୟବଳ (ଟାସ୍କଫୋର୍ସ) ଗଠନ ପୂର୍ବକ କ୍ରୟ ବିକ୍ରୟ ତଦାରଖ କରି ଉତ୍ପାଦକ ଗୋଷ୍ଠୀମାନଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ , ଶୁଖିଲା ଲଙ୍କା ଓ ଅଦାର ଚାହିଦା ଅଧିକ ଥିବାରୁ ଏ ସବୁ ସାମଗ୍ରୀର ଉତ୍ପାଦନକୁ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉତ୍ପାଦିତ ହେଉଥିବା ସାମଗ୍ରୀର ଗୁଣବତ୍ତା ରକ୍ଷା , ଅଧିକ ଉତ୍ପାଦକ ଗୋଷ୍ଠୀ ଗଠନ ପୂର୍ବକ ଉତ୍ପାଦନ ବୃଦ୍ଧି , ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ନିମନ୍ତେ ବ୍ରାଣ୍ଡିଙ୍ଗ ଓ ପ୍ୟାକେଜିଙ୍ଗର ଆବଶ୍ୟକତା ତଥା ଉତ୍ପାଦକ ଗୋଷ୍ଠୀ ସହ କ୍ରେତାଙ୍କୁ ଯୋଡ଼ିବା ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧି ସକାଶେ ପ୍ରଶିକ୍ଷଣର ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏଥି ସହିତ କ୍ରେତାମାନଙ୍କ ଆବଶ୍ୟକ ମୁତାବକ କଳାଜିରା ଚାଉଳ , ଢେଙ୍କିକୁଟା ଚାଉଳ ଓ ବାସ୍ନା ଚାଉଳର ଉତ୍ପାଦନ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ପଦାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କ୍ରେତାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବିଶେଷ ଜ୍ଞାନ ଆହରଣ ନିମନ୍ତେ ଏକ କମିଟି ଦ୍ୱାରା
ବିଭିନ୍ନ ମସଲା ଉତ୍ପାଦନକାରୀ ସଂସ୍ଥାମାନଙ୍କୁ କ୍ଷେତ୍ର ପରିଦର୍ଶନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରେତାମାନଙ୍କ ସହ ସମ୍ପର୍କ ରକ୍ଷା କରି ଉତ୍ପାଦକ ଗୋଷ୍ଠୀର ସାମଗ୍ରୀ କିପରି ଉଚିତ ମୂଲ୍ୟରେ ବିକ୍ରୀ ହୋଇପାରିବ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ସକାଶେ ଓରମାସର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାରମ୍ପାରିକ କୃଷି ( ଧାନଚାଷ)ରେ ସୀମିତ ନରହି ଅର୍ଥକାରୀ ଫସଲ ଉତ୍ପାଦନ ଦିଗରେ ଚାଷୀମାନେ କିପରି ଆଗଭର ହେବେ ସେ ଦିଗରେ ଅଧିକ ଯତ୍ନବାନ ପୂର୍ବକ କାର୍ଯ୍ୟପନ୍ଥା ଗ୍ରହଣ ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝୀ , ଡି ଡି ଏମ୍ ନାବାର୍ଡ ଶକ୍ତିପ୍ରସାଦ ମହାପାତ୍ର , ଏଲ ଡି ଏମ୍ ଦୟାନିଧି କିଷାନ , ଜି ଏମ୍ ଡି ଆଇ ସି ପ୍ରଣବ କୁମାର ନାୟକ , ଶ୍ରୀକ୍ଷେତ୍ର ମସଲା , ଜାଇକା ଫୁଡ଼ , ଜୟ ଭାରତ ମସଲା , ବିଗ ବଜାର ,ରିଲାଏନ୍ସ , ଆନନ୍ଦ ୱାର୍ଲଡ଼ ଭଳି ବିଭିନ୍ନ ସଂସ୍ଥା ସମେତ ଫାରମର ପ୍ରଡ୍ୟୁସର କମ୍ପାନୀ 'ସଂକଳ୍ପ' , ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ପାର୍ଟନର 'ସେବା' ଓ 'ପ୍ରଦାନ' ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ଓରମାସର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲଷ୍ମୀ ରାଉତ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।