ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଥୀକ୍ଷାର ଅନ୍ତ ଘଟିଛି । ଶେଷରେ ମାର୍ଚ୍ଚ ୧୭ଠାରୁ ବାଲେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଡେମୋ ଟ୍ରେନଟି ପୁନଃ ଚଳାଚଳ କରିବ । ଏ ନେଇ ଦକ୍ଷିଣ-ପୂର୍ବ ତଟ ରେଳ ବିଭାଗର କୋଲକାତା ଗାର୍ଡେନରିଚ୍ ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ଟ୍ରେନଟି ଏକ ସପ୍ତାହରୁ ଅଧିକ ସମୟ ହେବ ଆସି ରୁପ୍ସା ଷ୍ଟେସନରେ ଅଟକି ରହିଥିଲା । ଡ୍ରାଇଭର ଓ ଗାଡର଼୍ ରେଳଧାରଣାରେ ଗାଡ଼ି ଚଳାଇ ଯାତ୍ରୀ ନେବା ଆଣିବା କରିବା ପାଇଁ ପ୍ରସ୍ତୁତ ରହିଥିବା ବେଳେ ରେଲ କର୍ତ୍ତୃପକ୍ଷ ଅନୁମତି ଅପେକ୍ଷାରେ ରହିଥିଲେ । ସୂଚନା ଯୋଗ୍ୟ ଯେ, ବାଲେଶ୍ୱର ବାଙ୍ଗିରିପୋଷି ଟ୍ରେନଟି ପ୍ରତ୍ୟେକ ଦିନ ସକାଳ ୬ରେ ରୁପ୍ସା ଷ୍ଟେସନରୁ ଛାଡ଼ି ଠାକୁରତୋଟା, ଯୁଗପୁରା, ଯୁଗଳ, ବେତନଟୀ, କେସିପୁର, ବାରିପଦା ଷ୍ଟେସନ ହୋଇ ପୂର୍ବାହ୍ନ ସାଢେ଼ ୮ରେ ଭଞ୍ଜପୁର ଷ୍ଟେସନରେ ପହଁଞ୍ଚି ପୁଣି ବାଲେଶ୍ୱର ଅଭିମୁଖେ ଫେରି ଯାଉଥିଲା । ଏହାପରେ ବାଲେଶ୍ୱର ଷ୍ଟେସନରୁ ଛାଡ଼ି ହଳଦିପଦା, ରୁପ୍ସା ଷ୍ଟେସନରୁ ଛାଡ଼ି ଠାକୁରପୋଟା, ଯୁଗପୁରା, ଯୁଗଳ, ବେତନଟୀ, କେସିପୁର, ବାରିପଦା, ଭଞ୍ଜପୁର, ବୁଢ଼ାମରା, ରଜାଲୋକା ହୋଇ ବାଙ୍ଗିରିପୋଷି ଷ୍ଟେସନ ଏବଂ ବାଙ୍ଗିରିପୋଷି ଷ୍ଟେସନରୁ ଛାଡ଼ି ରୁପ୍ସା ଷ୍ଟେସନରେ ପହଁଞ୍ଚି ସେଠାରେ ରାତିରେ ରହୁଥିଲା । ଉକ୍ତ ଟ୍ରେନଟି ମୟୂରଭଞ୍ଜ ସହିତ ପଡେ଼ାଶୀ ବାଲେଶ୍ୱର ସହିତ ଯୋଗାଯୋଗ କରାଉଥିଲା । ମୟୂରଭଞ୍ଜ ଜିଲ୍ଲାରୁ ଉକ୍ତ ଡେମୋ ଟ୍ରେନରେ ଯାତ୍ରୀମାନେ ଯାଇ ବାଲେଶ୍ୱର ଷ୍ଟେସନରୁ ଦିଲ୍ଲୀ, ମୋମ୍ବାଇ, ଚେନ୍ନାଇ, ବେଙ୍ଗୁଲୁରୁ, ହାଇଦ୍ରାବାଦ ଆଦି ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ ଧରୁଥିଲେ । କିନ୍ତୁ କରୋନାକୁ ନେଇ ଲକ୍ ଡ଼ାଉନ ସମୟରୁ ଉକ୍ତ ଟ୍ରେନ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା ।