ବଣ୍ଡା ମହିଳାମାନେ ନିଜଠାରୁ ୧୦ ରୁ ୧୨ ବର୍ଷ ସାନ ପୁଅମାନଙ୍କୁ ବିବାହ କରନ୍ତି | ତେଣୁ ଜଣେ ବଣ୍ଡା ସମ୍ପ୍ରଦାୟର ଝିଅକୁ ୨୦ ରୁ ୨୫ ବର୍ଷ ହୋଇଯିବା ପରେ ସେ ତାଙ୍କ ଠାରୁ ଜଣେ ୧୦ ରୁ ୧୨ ବର୍ଷର ସାନ ପୁଅକୁ ବିବାହ କରନ୍ତି | ପିତାମାତାଙ୍କ ସମ୍ମତି କ୍ରମେ ବିବାହକୁ (ସାଲାକ୍-ବୋଇ-ଡୋଜିଂ) ବିବାହ ଏବଂ ଜୋର ଜବରଦସ୍ତ ଉଠେଇ ନେଇ ବିବାହକୁ (ଓ୍ବାଇ ବୋଇ ଡୋଜିଂ) ବୋଲି କୁହାଯାଏ। ଉଭୟ ପ୍ରକାର ବିବାହ କ୍ଷେତ୍ରରେ କନ୍ୟା ପାଇଁ ମୂଲ୍ୟ ଦେବାକୁ (ଜିନିଂ) କୁହାଯାଏ।'କନ୍ୟା ମୂଲ୍ୟ' ବା ଜିନିଂ ଦେୟ ବଣ୍ଡା ଜନଜାତି ବିବାହରେ ପ୍ରଚଳିତ ହୋଇଥାଏ |
ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ପ୍ରକୃତି ର ସନ୍ତାନ ରୂପେ ପରିଚିତ ଆଦିମ ବଣ୍ଡା ଜନଜାତିଙ୍କ ଚଳଣି ନିଆରା ହୋଇଥାଏ । ଏହିମାନଙ୍କ ଚଳଣି,ପୋଷାକ, ଖାଦ୍ୟପେୟ ର ସ୍ୱତନ୍ତ୍ରତା ଯୋଗୁଁ ବିଭିନ୍ନ ଦେଶ ବିଦେଶରୁ ଅନେକ ଶିକ୍ଷାବିତ, ଗବେଷକ ଗବେଷଣା କରିବା ପାଇଁ ବଣ୍ଡାଙ୍କ ଜନ୍ମସ୍ଥାନ ମାଲକାନଗିରି ଜିଲ୍ଲା ମୁଦୁଲିପଡା କୁ ଛୁଟିଆସନ୍ତି । ବିବିଧତାରେ ପରିପୂର୍ଣ୍ଣ ବିଧାତାଙ୍କ ସୃଷ୍ଟି ସଂରଚନା। ଲକ୍ଷ ଲକ୍ଷ ଲୋକଙ୍କ ଭିନ୍ନ ଭିନ୍ନ ମୁହଁ। ପ୍ରତ୍ୟେକ ମଣିଷ ରହଣି ଚାଲିଚଳଣୀ , କଥା କହିବାର ଶୈଳୀ , ଚିନ୍ତାଧାରା , ପ୍ରଥା ପରମ୍ପରା ମଧ୍ୟ ସମସ୍ତଙ୍କର ଭିନ୍ନ।ବିଭିନ୍ନତା ମଧ୍ୟରେ ଏକତାକୁ ବଜାଇ ରଖିବା ଶକ୍ତି କେବଳ ଇଶ୍ୱରଙ୍କ ପାଖରେ ନିହିତ ଅଛି।ଏହିପରି ଏକ ଭିନ୍ନ ପ୍ରଥା ପରମ୍ପରା ସମ୍ପର୍କରେ ଜଣିବା ଆସନ୍ତୁ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଭିମୁଖେ। ସକାଳ ସମୟ ମୁଣ୍ଡ ଉପରେ ଖୋଲା ନିଳ ଆକାଶ ଚତୁଃପାଶ୍ୱର୍ରେ ସୁଉଚ୍ଚ ପର୍ବତମାଳା,ଦୂର ଦିଗବଳୟରୁ ଭାସି ଆସୁଥିଲା ପକ୍ଷୀ ମାନଙ୍କର କିଚିରି ମିଚିର ଶବ୍ଦ। ଗାଡିର ଅଧା ଖୋଲା ଝରକା ଭିତରକୁ ଧସେଇ ପସିଆସୁଥିବା ମୃଦୁ ଶୀତଳ ପବନ ବଣ୍ଡାଘାଟିରେ ପହଁଞ୍ଚିବା ଇଛାକୁ ଦ୍ବିଗୁଣିତ କରୁଥିଲା। ଏମିତିରେ ପହଞ୍ଚି ଯାଇଥିଲୁ ସର୍ବ ପୁରାତନ ଆଦିମ ଜନଜାତି ବସତି ବଣ୍ଡାଘାଟିରେ। ଆଦିମ ବଣ୍ଡା ଜନଜାତି ବିଷୟରେ ସବୁଠାରୁ ଅସାଧାରଣ ଜିନିଷ ହେଉଛି ସେମାନଙ୍କର ବିବାହ ଶୋଭାଯାତ୍ରା । ବଣ୍ଡା ମହିଳାମାନେ ନିଜଠାରୁ ୧୦ ରୁ ୧୨ ବର୍ଷ ସାନ ପୁଅମାନଙ୍କୁ ବିବାହ କରନ୍ତି | ତେଣୁ ଜଣେ ବଣ୍ଡା ସମ୍ପ୍ରଦାୟର ଝିଅକୁ ୨୦ ରୁ ୨୫ ବର୍ଷ ହୋଇଯିବା ପରେ ସେ ତାଙ୍କ ଠାରୁ ଜଣେ ୧୦ ରୁ ୧୨ ବର୍ଷର ସାନ ପୁଅକୁ ବିବାହ କରନ୍ତି | ଏହା ପରେ ପତ୍ନୀ ନିଜ ସନ୍ତାନ ଓ ସ୍ୱାମୀଙ୍କୁ ସୁରକ୍ଷା ଦେବା ସହ ସେମାନେ ବୟସ୍କ ହେବା ପର୍ଯ୍ୟନ୍ତ ଖାଇବାକୁ ଦେବା ପାଇଁ ଶପଥ କରନ୍ତି । ପ୍ରତିବଦଳରେ ସ୍ବାମୀ ମଧ୍ୟ ଭବିଷ୍ୟତରେ ନିଜ ପତ୍ନୀର ବଳ ବୟସ ଯିବା ପର୍ଯ୍ୟନ୍ତ ତାଙ୍କର ଯତ୍ନ ନେବ ବୋଲି ପ୍ରତିଜ୍ଞା କରିଥାନ୍ତି | ଯୌତୁକ ବଦଳରେ ସେମାନେ 'କନ୍ୟା ମୂଲ୍ୟ' କୁହାଯାଉଥିବା ଧାନ ଶସ୍ୟ , ଗୃହପାଳିତ ପଶୁ କିମ୍ବା ଅର୍ଥ ରାଶି ଦିଅନ୍ତି | ଏହି 'କନ୍ୟା ମୂଲ୍ୟ' ବରର ବଡ ଭାଇ ଦେଇପାରନ୍ତି, କିନ୍ତୁ ପରେ ବର ନିଜ ଭାଇକୁ ଏହି 'କନ୍ୟା ମୂଲ୍ୟ' ସୁନିଶ୍ଚିତ ଭାବେ ଫେରସ୍ତ କରିବାକୁ ପଡିଥାଏ। ଅର୍ଥନୈତିକ ଆବଶ୍ୟକତା ଏବଂ ଶାରୀରିକ ସମର୍ଥନ ଏହିପରି ବିବାହର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ। ବଣ୍ଡା ଜନଜାତିରେ ବିବାହ ପରେ ଯୌନ ସମ୍ପର୍କ ଦ୍ୱିତୀୟ ପ୍ରାଥମିକତା ହୋଇଯାଏ | ପୁଅମାନେ ବୟସ୍କ ନହେବା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ସ୍ଥାପିତ ହୁଏ ନାହିଁ।
ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟରେ ମୁଖ୍ୟତ ଦୁଇ ପ୍ରକାରର ବିବାହ।ବଣ୍ଡା ଜନଜାତି ଭାଷାରେ (ଡୋଜିଂ) କୁହାଯାଏ। ଆୟୋଜନ କରାଯାଇଥାଏ।, ଯଥା ପିତାମାତାଙ୍କ ସମ୍ମତି କ୍ରମେ ବିବାହକୁ (ସାଲାକ୍-ବୋଇ-ଡୋଜିଂ) ବିବାହ ଏବଂ ଜୋର ଜବରଦସ୍ତ ଉଠେଇ ନେଇ ବିବାହକୁ (ଓ୍ବାଇ ବୋଇ ଡୋଜିଂ) ବୋଲି କୁହାଯାଏ। ଉଭୟ ପ୍ରକାର ବିବାହ କ୍ଷେତ୍ରରେ କନ୍ୟା ପାଇଁ ମୂଲ୍ୟ ଦେବାକୁ (ଜିନିଂ) କୁହାଯାଏ।'କନ୍ୟା ମୂଲ୍ୟ' ବା ଜିନିଂ ଦେୟ ବଣ୍ଡା ଜନଜାତି ବିବାହରେ ପ୍ରଚଳିତ ହୋଇଥାଏ | ପିତାମାତାଙ୍କ ସମ୍ମତି ବା (ଆରେଞ୍ଜ ମ୍ୟାରେଜ) ଦ୍ବାରା ବିବାହରେ ଗୋଟିଏ ଗାଈ , ଗୋଟିଏ ବଳଦ ଏବଂ ପ୍ରାୟ ୩୦-୪୦ କିଲୋଗ୍ରାମ ଶସ୍ୟ ବଣ୍ଡା ଜନଜାତିର କନ୍ୟାକୁ ଦେବାପାଇଁ ପ୍ରଥା ପ୍ରଚଳିତ ଥିବାବେଳେ ଜୋର ଜବରଦସ୍ତ ଉଠେଇନେବା ବିବାହରେ ଏହା ୩-୧୫ ସଂଖ୍ୟା କିମ୍ବା ତାଠାରୁ ଅଧିକ ଗୃହପାଳିତ ପଶୁ ଓ ଶସ୍ୟ ଦେବାକୁ ପଡେ଼। ଏମିତିକି ଶସ୍ୟର ଓଜନ ଗୋଟିଏ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ହୋଇଯାଏ। ତେବେ, ଏହି ଗୃହପାଳିତ ପଶୁ ହେଉ କି ଶସ୍ୟର ପରିମାଣ ନିର୍ଭର କରେ ବର ଦ୍ୱାରା କରାଯାଇଥିବା କନ୍ୟାକୁ ଜୋର ଜବରଦସ୍ତ ଉଠେଇ ନେବାର ପ୍ରକୃତି ଏବଂ ଗମ୍ଭୀରତା ଉପରେ ନିର୍ଭର କରେ |
ଆଦିମ ବଣ୍ଡା ଜନଜାତିରେ ବିବାହର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ପ୍ରାୟ ୨୦ ରୁ ୨୫ ବର୍ଷର ଜଣେ ମହିଳା କେବଳ ୧୦ ରୁ ୧୨ ବର୍ଷ ବୟସର ନାବାଳକ ପୁଅକୁ ବିବାହ କରିଥାନ୍ତି | ଏହି ଅଭ୍ୟାସ ପଛରେ ଉଦ୍ଦେଶ୍ୟ ହେଉଛି ବୃଦ୍ଧାବସ୍ଥାରେ ପତ୍ନୀଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା । ଯେହେତୁ ବଣ୍ଡା ସମ୍ପ୍ରଦାୟର ଜଣେ ମହିଳା ଜୀବିକା ପାଇଁ ଅଧିକାଂଶ ସମୟରେ ରୋଜଗାର ପାଇଁ ବିଭିନ୍ନ କାର୍ଯ୍ୟକଳାପ କରିଥାନ୍ତି। ବଣ୍ଡା ମହିଳାଙ୍କ ବିଶ୍ୱାସ ବୃଦ୍ଧା ଅବସ୍ଥାରେ ବୟସରେ ସାନ ସ୍ୱାମୀ ରୋଜଗାର ପାଇଁ ସେହି କାର୍ଯ୍ୟକଳାପକୁ ଆଗକୁ ବଢାଇବା ସହ ବୃଦ୍ଧା ପତ୍ନୀର ଯତ୍ନ ନେଇଥାନ୍ତି।ବଣ୍ଡା ଜନଜାତିରେ ଯୁବ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମାନନ୍ତି କାରଣ ସେ ତାଙ୍କୁ ପିଲାଟି ଦିନରୁ ପ୍ରତ୍ୟେକ କ୍ଷେତ୍ରରେ ତାଲିମ ଦେଇଛନ୍ତି ଏବଂ ପରିପକ୍ୱତା ପାଇଁ ପ୍ରସ୍ତୁତ କରିଛନ୍ତି | ଏହା ପରେ ଯେହେତୁ ବର ଯୁବ ଅବସ୍ଥାରେ ପଦାର୍ପଣ କରି ବୟସ୍କ ହୋଇଗଲେ, ଉଭୟ ସ୍ବାମୀ ସ୍ତ୍ରୀ ସାଂସାରିକ ଜୀବନଯାପନ କରିବା ସହ ସନ୍ତାନସନ୍ତତି ପାଇଁ ଏକତ୍ର ଜୀବନ ଆରମ୍ଭ କରନ୍ତି |
ବଣ୍ଡା ସମାଜର ବାଳକ (ଇଙ୍ଗରସିଙ୍ଗ୍) ଏବଂ ବାଳିକା (ସେଲେନାଇଡିଂ) ପାଇଁ ପରିବାରର ବୟୋଜ୍ୟେଷ୍ଠ ମାନେ ଛୋଟ ଛୋଟ କୁଡିଆ ନିର୍ମାଣ କରି ବଣ୍ଡା ବାଳକ ବାଳିକାଙ୍କ ପାଇଁ ଛାତ୍ରାବାସ ତିଆରି କରିଥାନ୍ତି । ଗୋଟିଏ ଗାଁର ବାଳକମାନେ ଅନ୍ୟ ଗାଁକୁ ଯାଇ ନିଜ ପସନ୍ଦର ଝିଅମାନଙ୍କୁ ଚୟନ କରନ୍ତି, ଯେଉଁଠାରେ ବଣ୍ଡା ଜନଜାତିର ବାଳକ ବାଳିକା ଗୋଟିଏ ସ୍ଥାନରେ ଦୀର୍ଘ ଦିନ ଧରି ମିଳାମିଶା , ବାର୍ତ୍ତାଳାପ ଓ ଅନ୍ତରଙ୍ଗତା ମୂହୁର୍ତ୍ତ ମାଧ୍ୟମରେ ନିଜ ନିଜର ଜୀବନସାଥୀ ବା ପତି-ପତ୍ନୀଙ୍କୁ ବାଛି ପାରିବେ | ଏହିପରି ଛୋଟ ଛୋଟ କୁଡିଆ କରି ଜୀବନସାଥୀ ବାଛିବା ପ୍ରଥା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପ୍ରଚଳିତ ଅଛି।ଛୋଟ ଛୋଟ କୁଡିଆକୁ ଲଭ ହର୍ଟ କୁହାଯାଏ ।ସେହିପରି ବଣ୍ଡା ସମ୍ପ୍ରଦାୟର ଏହି କୁଡିଆ ବ୍ୟବସ୍ଥା ଉଭୟ ପୁଅ ଓ ଝିଅକୁ ମଧ୍ୟ ସନ୍ତୁଷ୍ଟ ଦେଇଥାଏ।
ବଣ୍ଡା ଜନଜାତିରେ ଲୋକମାନେ ଅନ୍ୟ ଜନଜାତି ଅପେକ୍ଷା କନ୍ୟା ସନ୍ତାନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି , କାରଣ ବଣ୍ଡା ମହିଳା ମାନେ ଅର୍ଥ ରୋଜଗାର ପାଇଁ ବିଭିନ୍ନ ସମୟରେ କିଛି ନା କିଛି କାର୍ଯ୍ୟ କରିଥାନ୍ତି। ଏଣୁ ଝିଅମାନେ ଆର୍ଥିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ।ଏ ସମ୍ପ୍ରଦାୟରେ ପତ୍ନୀଙ୍କ ବୟସର ବୟସ୍କତା ମଧ୍ୟ ପୁରୁଷ ମାନଙ୍କୁ ନିୟନ୍ତ୍ରଣରେ ରଖିଥାଏ । କିନ୍ତୁ ଏପରି ପ୍ରଚଳିତ ପ୍ରଥା ଅଣ ଆଦିବାସୀ ଭାରତୀୟ ଲୋକଙ୍କ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବିପରୀତ | ସ୍ୱାମୀ ମାନେ ପତ୍ନୀଙ୍କ ଖାଦ୍ୟ ଉପରେ କିଛି ପ୍ରତିବନ୍ଧକ ଅନୁସରଣ କରିବା ସହ ପତ୍ନୀ ଗର୍ଭବତୀ ହେଲେ ଗାଁ ବାହାରକୁ ଯିବାକୁ ଦିଅନ୍ତି ନାହିଁ | ଆଜିର ଆଧୁନିକ ଯୁଗରେ ଉଚ୍ଚ ଶିକ୍ଷିତ ଯୁବ ପିଢିମାନେ' ଏହିଭଳି ପ୍ରଥା ପରମ୍ପରାକୁ ବର୍ତ୍ତମାନ ତ୍ୟାଗ କରିବା ଆରମ୍ଭ କରୁଛନ୍ତି।
ବଣ୍ଡା ଜନଜାତିର ଝିଅ ମାନଙ୍କ କାନ ଫୋଡିବା ଏକ ଜରୁରୀ ପ୍ରଚଳିତ ପ୍ରଥା ଏବଂ ଏହା ପିଲାଟି ଦିନରୁ କରାଯାଇଥାଏ କିନ୍ତୁ ଝିଅ ମାନଙ୍କ ମୁଣ୍ଡର ଚୁଟି କାଟିବା ପ୍ରଥା ତିନି ବର୍ଷ ବୟସରେ କରାଯାଇଥାଏ । ଏହା ଛଡା ସମ୍ପ୍ରଦାୟରେ ବ୍ୟକ୍ତିଗତ ନାମ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ। ସେମାନଙ୍କର ନାମ ବିଷୟରେ କୌଣସି ବିସ୍ତୃତ ଧାରଣା ନାହିଁ ଯାହା ଦ୍ବାରା ସେମାନଙ୍କ ନାମ ପ୍ରାୟତଃ ସମାନ ଭଳି ଲାଗିଥାଏ।ଗୋଟିଏ ସମାନ ପରିବାରରେ ପୁଅ କି ଝିଅ ଜନ୍ମ ହେବା ପରେ ଲିଙ୍ଗ ନିର୍ବିଶେଷରେ ଜନ୍ମ ଦିନ, ଅର୍ଥାତ୍ ସୋମବାର, ମଙ୍ଗଳବାର ଇତ୍ୟାଦି ଅନୁଯାୟୀ ନାମକରଣ କରାଯାଏ | ଉଦାହରଣ ସ୍ୱରୂପ, ସୋମବାର ଦିନ ଜନ୍ମ ହୋଇଥିବା ଏକ ପୁଅର ନାମ 'ସୋମା' ଏବଂ ସେହିପରି ଝିଅଟିର ନାମ 'ସୋମ୍ବାରୀ' ବୋଲି ରଖାଯାଇଥାଏ, ଯଦି ମଙ୍ଗଳବାର ଦିନ କେହି ଜନ୍ମ ହୁଅନ୍ତି, ତେବେ ପୁଅର ନାମ 'ମଙ୍ଗଲୁ ରଖାଯାଇଥିବା ବେଳେ' ଝିଅର 'ମଙ୍ଗଲି' ଇତ୍ୟାଦି ରଖାଯାଇଥାଏ ।