ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହିର ଶ୍ରୀ ଦୁର୍ଗାସି କେଶବ ରାଓ , ପିତା-ଆଦି ନାରାୟଣ ଚଳିତ ଖରିଫ୍ ଋତୁ ୨୦୨୦-୨୧ବର୍ଷ ପାଇଁ ମିଥ୍ୟା ତଥ୍ୟ ଦର୍ଶାଇ ରାମଲିଙ୍ଗେଶ୍ଵର ସମବାୟ ସମିତିରେ ଧାନଚାଷୀ ଭାବରେ ପଞ୍ଜିକରଣ କରିଥିଲେ।
ଅନୁସନ୍ଧାନରୁ ଜଣାପଡିଲା ଯେ , ମୋଟ ଚାଷଜମି ୧୧.୩୦୫ ଏକର ମଧ୍ୟରୁ ୫.୨୮୬ ଏକର ଜମିରେ ଧାନ ଚାଷ ହୋଇଥିଲା। ଅବଶିଷ୍ଟ ୬.୦୧୯ ଏକର ଜମିରେ ଧାନଚାଷ ହୋଇନଥିବା ବେଳେ ସମସ୍ତ ୧୧.୩୦୫ ଏକର ଜମିରେ ଧାନଚାଷ କରିଥିବା ଦର୍ଶାଇ ସରକାରଙ୍କୁ ମୋଟ ୨୦୬ କ୍ୱିଣ୍ଟାଲ୍ ଧାନ ବିକ୍ରି କରି ସରକାରୀ ଧାର୍ଯ୍ୟ ଦରରେ ( କ୍ୱିଣ୍ଟାଲ ପ୍ରତି ଟ-୧୮୬୮.୦୦) ଅର୍ଥ ରାଶି ହଡ଼ପ କରିଥବା ଜଣାପଡିଛି। ସ୍ଥାନୀୟ ଜନସାଧାରଣ ଉକ୍ତ ହଡ଼ପ ଘଟଣାକୁ ଅବଗତ ହେବାପରେ ଗଜପତି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡି ତହସିଲଦାର ଘଟଣାର ସବିଶେଷ ଅନୁସନ୍ଧାନ କରି ଏକ ବିବରଣୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଅନୁସନ୍ଧାନରୁ ଜଣାପଡିଲା ଯେ , ଅଧାରୁ ଅଧିକ ପଡ଼ିଆ ପଡ଼ିଥିବା ଜମିରେ ଧାନଚାଷ ହୋଇନଥିଲା।
ଏହି ଠକେଇ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୯-୩-୨୦୨୧ ତାରିଖ ଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ୍.ଆଇ.ଆର୍ ରୁଜୁ କରିବା ସହ ୧,୦୦,୦୦୦/- ଟଙ୍କା ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏବଂ ରାମଲିଙ୍ଗେଶ୍ବର ସମବାୟ ସମିତି , କେରାଣ୍ଡିର ସମ୍ପାଦକ ଇ.ରାମପ୍ରସାଦଙ୍କୁ ନିଲମ୍ବନ କରିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠି ସେହିଦିନ ୯-୩-୨୦୨୧ ତାରିଖ ଦିନ ସ୍ଥାନୀୟ ପୋଲିସ୍ ଥାନାରେ ଶ୍ରୀ ଦୁର୍ଗାସି କେଶବ ରାଓଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍ ରୁଜୁ କରିଥିଲେ।