୧୦୬୩୪ ଭୋଟରେ ବିଜୟଲାଭ କଲେ ଅବନୀ ରଞ୍ଜନ ଯୋଶୀ
ନୂଆପଡା: -କୋମନା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଫେବୃଆରୀ ୨୪ରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ବିଜେଡି ପ୍ରାର୍ଥୀ ସର୍ବମୋଟ ୧୬୦୧୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାବେ ବିଜେପି ପ୍ରାର୍ଥୀ ବୁଲୁ ପଣ୍ଡା ୫୩୯୩ ଖଣ୍ଡ ଭୋଟ ପାଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ କାଞ୍ଚନ ଶବର ୨୪୦୯ ଖଣ୍ଡ ଭୋଟ ପାଇଛନ୍ତି। ୬୨୩ ଖଣ୍ଡ ଭୋଟ ରିଜେକ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଏହି ୨ ନମ୍ବର ଜୋନ ଆସନ ରେ ନିର୍ବାଚନ ହୋଇଥିଲା ଓ ବିଜେଡିର ସ୍ବର୍ଗତ ରାମ ନରେଶ ଅହୀର ପ୍ରାୟ ୮ହଜାର ଭୋଟରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ମଧ୍ୟ ବିଜେଡି ଖାତାକୁ ଏହି ଆସନ ଆସିଛି। ବିଜେଡି ପ୍ରାର୍ଥୀ ଅବନୀ ଯୋଶୀଙ୍କ ବିପୁଳ ଜନମତ ବିଜୟରେ ଦଳିୟ କର୍ମୀ ଓ ଜିଲ୍ଲାରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳି ଯାଇଛି। ଏ ନେଇ ନୂତନ ଜିଲ୍ଲାପରିଷଦ ସଦସ୍ୟ ଅବନୀ ଯୋଶୀ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ତଥା ସମସ୍ତ ବିଜେଡି କର୍ମୀ ଓ ଜୋନ ନମ୍ବର ୨ ର ସମସ୍ତ ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଜେଡି ନେତା କାର୍ତ୍ତିକ ଦୀପ, କାଳିଆ ପ୍ରଧାନ ତଥା ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଶ୍ରୀ ଯୋଶୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବିଜୟୀ ହେବା ପରେ ସେ ଏକ ଶୋଭାଯାତ୍ରା କୋମନାରୁ ବାହାରି ୨ ନମ୍ବରର ସମସ୍ତ ପଂଚାୟତ ଯିବେ ବୋଲି ସୂଚନା ମିଳିଛି।