"ବଜେଟ ଲୋକାଭିମୁଖୀ, ଜଳସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ"
ଭୁବନେଶ୍ୱର: ଚଳିତ ରାଜ୍ୟ ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ, ଜଳସେଚନ ଆଦି ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏହାକୁ ଏକ ଲୋକାଭିମୁଖୀ ବଜେଟ୍ ବୋଲି ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମତ ପୋଷଣ କରିବା ସହିତ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ପାଇଁ ବଜେଟରେ ଆଶାନୁରୂପ ବ୍ୟବସ୍ଥା କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ କହିଛନ୍ତି ଯେ, ରାଜ୍ୟରେ କୃଷିର ଉନ୍ନତି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଜଳସେଚନ ପ୍ରମୁଖ ଆବଶ୍ୟକତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଜଳସେଚନ ପ୍ରକଳ୍ପ ସହ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ମଧ୍ୟ ସେ ସମ ପରିମାଣରେ ଅଗ୍ରାଧିକାର ଦେଉଛନ୍ତି । ଉଠାଜଳସେଚନ ନିଗମକୁ ଯଥୋଚିତ ଗୁରୁତ୍ୱ ଦେଇ ରାଜ୍ୟରେ ଉଠାଜଳସେଚନର ସୁବ୍ୟବସ୍ଥା ପାଇଁ ବଜେଟରେ ଆବଶ୍ୟକତା ଅନୁଯାୟୀ ଆର୍ଥିକ ବ୍ୟବସ୍ଥା ରଖିଥିବାରୁ ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରସଙ୍ଗରେ ଶ୍ରୀ ପତ୍ରୀ କହିଛନ୍ତି ଯେ, ଚଳିତ ରାଜ୍ୟ ବଜେଟ୍ରେ ଗ୍ରାମାଂଚଳ ଭିତିଭୂମି ଉନ୍ନୟନ ଅଧିନରେ କାର୍ଯ୍ୟକାରୀ ହେଉଥିବା ଜଳନିଧି ଯୋଜନାରେ ଅତିରିକ୍ତ ଜଳ ସେଚନ ବ୍ୟବସ୍ଥା ପାଇଁ ୧୮୦ କୋଟି ଟଙ୍କା, ୨୧ ହଜାର ଗଭୀର ସେଚ କୂପ ଖନନ କାର୍ଯ୍ୟ ସଂପୂର୍ଣ୍ଣକରଣ ପାଇଁ ୩୮୯ କୋଟି, ବିଜୁ କୃଷକ ବିକାଶ ଯୋଜନା ଅଧିନରେ ୧୫୦୦ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ୪୦୦ କୋଟି ଟଙ୍କା ଏବଂ ଅକାମୀ ହୋଇପଡିଥିବା ୧୦୦୦ଟି ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ ପାଇଁ ୧୬୪ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଉଠାଜଳସେଚନ ପ୍ରକଳ୍ପଗୁଡିକ ସୁଚାରୁରୂପେ କାର୍ଯ୍ୟକରିବ । କୃଷକମାନେ ସବୁ ଋତୁରେ ବିଭିନ୍ନ ପ୍ରକାରର ଚାଷ କରି ଲାଭବାନ ହେବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ରାଜ୍ୟରେ ଉଠା ଜଳସେଚନର ବ୍ୟବସ୍ଥାରେ ଜଳସେଚନ ଓ ଜଳ ସୁପରିଚାଳନା କରି କୃଷି କ୍ଷେତ୍ରକୁ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ଜଳ ଯୋଗାଇ ଦିଆଯାଇ କୃଷି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ତାହାକୁ ଫଳପ୍ରଦ କରିବାରେ ତାଙ୍କ ଉଦ୍ୟମରେ ନିଗମ ତରଫରୁ ଶତ ପ୍ରତିଶତ ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ପତ୍ରୀ କହିଛନ୍ତି ।







