ବଲାଙ୍ଗୀର(ନିରୋଜ ମିଶ୍ର) : ପାର୍ସଲ ବୋମା ବିସ୍ଫୋରଣକୁ ବିତିଛି ତିନି ବର୍ଷ । ସମୟ ଗଡି ଚାଲିଛି ହେଲେ ମନର କ୍ଷତ ଏବେବି ଲିଭିପାରି ନାହିଁ । ନ୍ୟାୟ ଅପେକ୍ଷାରେ ପୀଡ଼ିତ ପରିବାର ଏବେବି ଶୋକସନ୍ତପ୍ତ ହୋଇ ଚାହିଁରହିଛି ।
ପାର୍ସଲ ବୋମା ବିସ୍ଫୋରଣକୁ 3 ବର୍ଷ, ନ୍ୟାୟ ଅପେକ୍ଷାରେ ସମ୍ପର୍କୀୟ ସେହି କଳାଦିନର ମୁହୂର୍ତ୍ତ ସବୁକିଛି ଛଡ଼ାଇ ନେଇଛି ଏହି ପରିବାର ପାଖରୁ । ନବବଧୂ ରୀମା ସାହୁ ନିଜର ଜୀବନ ସାଥି ସହିତ ସୁଖ ସଂସାର ଗଢ଼ିବା ପୂର୍ବରୁ ବିବାହର ପରଦିନ ସବୁ ଛାରଖାର ହୋଇଯାଇଥିଲା ଏବଂ ସେତେବେଳେ ଆଖିରେ ଅସୁମାରୀ ସ୍ବପ୍ନ ଦେଖିଥିବା ରୀମା ଏବେ ସ୍ବପ୍ନ ଦେଖିବା ହିଁ ଛାଡି ଦେଇଛି । ତେବେ ଅପେକ୍ଷା କେବଳ ଦୋଷୀକୁ କେବେ ମୃତ୍ୟୁଦଣ୍ଡ ମିଳୁଛି ।
ଠିକ ଆଜିର ଦିନ 2018 ଫେବୃଆରୀ 23 ତାରିଖରେ ପାଟଣାଗଡ଼ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିଲା ବିବାହ ଉପହାରର ପାର୍ସଲ । ନବ ବିବାହିତ ସୌମ୍ୟ ଶେଖର ଏହାକୁ ଉଦବେଗ ସହିତ ଖୋଲିବାବେଳେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ । ଯେଉଁଥିରେ ସୌମ୍ୟ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା ଏବଂ ନବବଧୂ ରୀମା ସହୁ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ପୋଲିସ୍ ଦୀର୍ଘ ଦୁଇ ମାସ ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର ହୋଇଥିଲା । ଏକ ମାସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା । ସେପଟେ ଏହି ଘଟଣାକୁ ତିନି ବର୍ଷ ବିତିଥିଲେ ସୁଦ୍ଧା ଏଯାଏଁ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ କେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁଛି ତାହା ଦେଖିବାକୁ ବାକି ରହିଲା ।