ବରଗଡ/ଭୁବନେଶ୍ୱର,:ରାଜ୍ୟର ବିଭିନ୍ନ ମଣ୍ଡିରେ ପାଖାପାଖି ଚାଷୀଙ୍କ ୫ ଲକ୍ଷ ବସ୍ତା ଧାନ ପଡିରହିଛି, ସରକାରଙ୍କ ଠାରୁ ଟୋକନ ପାଇବା ପରେ ମଣ୍ଡିରେ ଚାଷୀ ଧାନ ପକାଇଥିଲେ ମଧ୍ୟ ରାଜ୍ୟ ସରକାର ଏକ ମାସ ସମୟ କାଳ ମଧ୍ୟରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇ ପାରିଲେ ନାହିଁ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ମନ୍ତ୍ରୀ ମହୋଦୟ ଚାଷୀଙ୍କ ମୁଣ୍ଡ ଉପରେ ଦୋଷ ଲଦି ଦେଇ ପଳାୟନ ପନ୍ଥୀ ଭୂମିକା ଗ୍ରହଣ କରୁଛନ୍ତି । ଗତକାଲି ବିଧାନସଭାରେ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଚାଷୀ ମାନଙ୍କୁ ମଧ୍ୟସ୍ଥି (ଦଲାଲ) ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । ଏହା ସହ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓଡିଶାର ଚାଷୀ ସମାଜକୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।
୨୦୨୦-୨୧ ବର୍ଷରୁ ରାଜ୍ୟ ସରକାର ଚାଷୀଙ୍କୁ ପଞ୍ଜିକୃତ କରିବା ସହ ଅନଲାଇନ୍ ଟୋକନ ବ୍ୟବସ୍ଥା କଲେ ଏବଂ ସରକାର ଦାବି କଲେ ଯେ, ଏହା ଦେଶର ଧାନ କିଣାର ସବୁଠୁ ଉତମ ଓ ସ୍ୱଚ୍ଛ ବ୍ୟବସ୍ଥା । ଆଗରୁ ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଥିବା ଜିଲ୍ଲା ପ୍ୟାଡି ପ୍ରକୋମେଂଟ କମିଟିର ଦାୟିତ୍ୱକୁ ରଦ୍ଧ କରି ଦେଲେ । ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ନୀତି ଅନୁସାରେ ରାଜ୍ୟର ଚାଷୀ ମାନେ ଧାନ ବିକ୍ରି ପାଇଁ ଅନଲାଇନ୍ ରେ ନିଜ ନାମ ପଂଜିକୃତ କଲେ, ରାଜ୍ୟ ସରକାର ତର୍ଜମା କଲା ପରେ ରାଜ୍ୟର ଚାଷୀ ମାନଙ୍କୁ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଲେ ଓ ୧ ମାସ ଭିତରେ ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନ ଜମା ନକଲେ ଟୋକନ ଲ୍ୟାପସ୍ ହୋଇଯିବା ନିୟମ ରଖିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଟୋକନ ପାଇବା ପରେ ଚାଷୀ ମଣ୍ଡିରେ ଧାନ ଜମା କରିବା ସତ୍ୱେ ରାଜ୍ୟ ସରକାର ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇଲେ ନାହିଁ, ଏଥିପାଇଁ ସରକାର ଦାୟୀ ନା ଚାଷୀ, ମାନ୍ୟବର ମନ୍ତ୍ରୀ ଉତର ଦିଅନ୍ତୁ । କିଛି ଚାଷୀ ଟୋକନ ପାଇଲେ କିନ୍ତୁ ଖାଦ୍ୟ ଯୋଗାଣ ବିଭାଗ ମଣ୍ଡିରେ ଧାନ ଏରାଇଭାଲ୍ ବନ୍ଦ କରି ଦେଲେ ଏଥିପାଇଁ ଦାୟୀ କିଏ ମନ୍ତ୍ରୀ କହିବେ କି? ମିଲର୍ସମାନେ ମଣ୍ଡିରୁ ଧାନ ନକିଣି ଅଣ୍ଡରରେଟ୍ ରେ ବାହାରୁ ଧାନ କିଣି ଟାର୍ଗେଟ୍ ପୁରା କଲେ, ଗୋଟିଏ ମଧ୍ୟ ମିଲର୍ସ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଟୋକନର ଅବଧି ସମୟ ସୀମା ମଧ୍ୟରେ ଚାଷୀ ତାର ଧାନ ମଣ୍ଡିରେ ଗଦା କରିଛି ରାଜ୍ୟ ସରକାର ବାହାନା ବାଜି ବନ୍ଦ କରି ତୁରନ୍ତ ପଶ୍ଚିମ ଓଡିଶା ମଣ୍ଡି ମାନଙ୍କରେ ପଡିଥିବା ସମସ୍ତ ଧାନ କ୍ରୟ କରନ୍ତୁ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମର ଶ୍ରୀ ବାଳମଣି ଭୋଇ ଟୋକନ ପାଇବା ପରେ ଗତ ଡିସେମ୍ବର ୨୨ ତାରିଖ ଦିନ ୧୪୦ପକେଟ ଧାନ ଲଖମରା ମଣ୍ଡିରେ ଜମା କରିଥିଲେ । ମଣ୍ଡିରୁ ସରକାର ଧାନ ନ ଉଠାଇବାରୁ ଜାନୁଆରୀ ୨୨ ତାରିଖ ଦିନ ଭୋଇଙ୍କ ଟୋକନ ଲ୍ୟାପସ୍ ହୋଇ ଯାଇଥିଲା । ସେହି ଦିନ ଠାରୁ ସେ ଅନେକ ଅଧିକାରୀ ମାନଙ୍କ ପାଖକୁ ଦୌଡି ଭାରକ୍ରାନ୍ତ ଥିଲେ ଓ ହଠାତ୍ ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଭୋଇଙ୍କ ମୃତ୍ୟୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ଏବଂ ମୃତ୍ୟୁ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ରାଜ୍ୟ ସରକାର ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।