ହେଡଲାଇନସ୍:

ରାୟଗଡ ଜିଲ୍ଳାରେ ଜାତୀୟ ସଡକ ସୁରକ୍ଷା ମାସର ଉଦଯାପନୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଳା ସଦର ମହକୁମାରେ ଜାତୀୟ ସଡକ ସୁରକ୍ଷା ମାସର ଉଦଯାପନୀ ଦିବସ ମହାସମାରୋହରେ ଆଜି ପାଳନ କରାଯାଇଛି । ଏହି ଅବସରରେ ସଡକ ସୁରକ୍ଷା ସଚେତନତା ନିମନ୍ତେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି’ଟି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ରିଙ୍ଗ ରୋଡ ଦେଇ ସଡକ ସୁରକ୍ଷାର ସଚେତନତା ସ୍ଳୋଗାନ ଦେଇ ପୁଣି ଥରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚିଥିଲା । ଜିଲ୍ଳାପାଳ ସରୋଜ କୁମାର ମିଶ୍ର,ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗ ଦେଇ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିବା ସହ ନିଜେ ଏହି ରାଲିରେ ସାମିଲ ହୋଇଥିଲେ । ଏହି ରାଲିରେ ଆରଟିଓ ଦିଲ୍ଳୀପ କୁମାର ଦଳେଇ, ତହସିଲଦାର ଉମାଶଙ୍କର ବେହେରା,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁରଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,ବରିଷ୍ଠ ନାଗରିକ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ରାଲି ଶେଷରେ ସଡକ ସୁରକ୍ଷା ନିମନ୍ତେ ମୋଟର ଯାନ ଆଇନ ଓ ଟ୍ରାଫିକ୍ ନିୟମ ମାନି ଚଳିଲେ ସଡକ ଦୁର୍ଘଟଣାକୁ ଏଡାଇ ହେବ ଏବଂ ମୂଲ୍ୟବାନ ଜୀବନକୁ ବଂଚାଇ ହେବ ତେଣୁ ଗାଡି ଚଲେଇବା ବେଳେ ହେଲମେଟ ବ୍ୟବହାର କରିବା,ମୋବାଇଲ ଫୋନର ବ୍ୟବହାର ନ କରିବା,ସିଟ ବେଲଟ ବାନ୍ଧିବା,ମଦ୍ୟପାନ କରି ଗାଡି ନ ଚଲେଇବା ଆଦି ବିଷୟଗୁଡିକ ଉପରେ ଜିଲ୍ଳାପାଳ ଓ ଆରକ୍ଷୀ ଅଧୀକ୍ଷକ ଉଦବୋଧନ ଦେଇଥିଲେ ।

ସେହିପରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଆରଟିଓ ଶ୍ରୀ ଦଳେଇ ଜିଲ୍ଳାରେ କିପରି ଦୁର୍ଘଟଣା ବଢିଚାଲିଛି ଏବଂ କିପରି ଏହା ହ୍ରାସ ପାଇବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ସଭାରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଟ୍ରାଫିକ୍ ନିୟମ ଉଂଲଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପୂର୍ବକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ସହ ଆବଶ୍ୟକ ସ୍ଥଳେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ସଡକ ସୁରକ୍ଷା ସଚେତନତା ଓ ଏନଫୋର୍ସମେଂଟ ବିଷୟରେ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଡକ ସୁରକ୍ଷାର ବାର୍ତା ପ୍ରିଂଟ ଏବଂ ଇଲେକ୍ଟ୍ରୋନିକ୍ସ ସହ ୱେବ ମିଡିଆରେ ଲୋକଙ୍କୁ ସଚେତନ କରନ୍ତୁ ଏବଂ ଆଗାମୀ ଦିନରେ ରାୟଗଡ ଜିଲ୍ଳାରେ ଦୁର୍ଘଟଣା ହାର କମିବା ଉପରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ସଭା କାର୍ଯ୍ୟକ୍ରମରେ ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରି ତୁରନ୍ତ ଚିକିତ୍ସା ସେବା ଯୋଗାଇବାରେ ଉଦ୍ୟମ କରିଥିବା ଜିଲ୍ଳାର ୩୧ଜଣ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ୨ହଜାର ଟଙ୍କା ଲେଖାଁଏ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଆରଟିଓ ଶ୍ରୀ ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault