-
ବାଇ ଲ ଭଲରେ ନ ପଢି ଗପ ଶୁଣାନ୍ତୁନି, ଓଡିଶା ବାସୀ ବୋକା ନୁହନ୍ତି
-
ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ହେଉଛନ୍ତି କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ
-
ଓଡିଶା ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି
-
ଆପଣ ଆମସର ଆଇନ୍କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି
-
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଐତିହ୍ୟ ବାଇ-ଲ ସଂକ୍ରାନ୍ତରେ ବିଜେପି ସଂସଦ ଅପରାଜିତା ଷଢଙ୍ଗୀଙ୍କୁ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର ) ମାନସ ରଞ୍ଜନ ମଙ୍ଗରାଜ ଦେଲେ କଡା ଜବାବ | ନିଜକୁ ଅତି ଜ୍ଞାନୀ ବୋଲି କହୁଥିବା ସଂସଦ ଅପରାଜିତା ହୁଏତ ଐତିହ୍ୟ ବାଇ-ଲ କୁ ଭଲରେ ପଢି ନାହାନ୍ତି ବା ବାଇ-ଲ ପଢି ଠିକ ବୁଝି ପାରିନାହାନ୍ତି | ପାଞ୍ଚ ମିନିଟରେ ବିବାଦୀୟ ବାଇ-ଲକୁ ପଢି ବୁଝି ହେଇଥିବା ବେଳେ ଅପରାଜିତା କେମିତି ବୁଝି ନପାରି ଓଡିଶା ବାସୀଙ୍କୁ ମିଛ ଗପ ଶୁଣାଉଛନ୍ତି ତାହା ବୁଝି ହେଉନି | ତେଣୁ ଭଲ ଭାବେ ପଢିକି ଆସି ପ୍ରତିକ୍ରିୟା ଦିଅନ୍ତୁ | ଅଯଥା ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଓଡ଼ିଶାବାସୀଙ୍କୁ ବୋକା ବନାଇବାକୁ ଅପଚେଷ୍ଟା କରନ୍ତୁ ନାହିଁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମଙ୍ଗରାଜ କହିଛନ୍ତି |
ଗଣମାଧ୍ୟମ ବିବୃତିରେ ଶ୍ରୀ ମଙ୍ଗରାଜ ଅପରାଜିତାଙ୍କୁ କହିଛନ୍ତି ଯେ " ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍ ଅଫିସର ନୁହେଁ । ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି Ancient Monuments and Archaeological Sites and Remains Act, 1958 (AMSAR Act) Section-20 E ଅନୁଯାୟୀ ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ । ମୋର ବକ୍ତବ୍ୟକୁ ଯେଭଳି ଭୁଲ୍ ଭାବେ ଦର୍ଶାଯାଇଛି ତାହା ମତେ ବ୍ୟଥିତ କରିଛି । ମୁଁ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲି ଯେ କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ଯାହାକି ବର୍ତ୍ତମାନର ପ୍ରଶ୍ନବାଚୀ । ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି । କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ।"
ଶ୍ରୀ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି " ଯେହେତୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି ।"
ଶ୍ରୀମତୀ ଷଡଙ୍ଗୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ " ଆପଣ ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଯାହା ଜଣାପଡୁଛି ଆପଣ ଆମସର ଆଇନ୍କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି । ତେଣୁ ସବୁଠାରୁ ଭଲ ହେବ ଆପଣ ଆମସର ଆଇନ୍କୁ ପଢି ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ । Ancient Monuments and Archaeological Sites and Remains Act, 1958 (AMSAR Act)e Section-20 E ଅନୁଯାୟୀ ଐତିହ୍ୟ ବାଇ-ଲ, ଯାହା କି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ? ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ " ବୋଲି ଶ୍ରୀ ମଙ୍ଗରାଜ ତାଙ୍କୁ ଆହ୍ୱାନ ଦେଇଛନ୍ତି |