୭ମ ଶିଶୁପାଳଗଡ ମହୋତ୍ସବ ଅନୁଷ୍ଠିତ
ବିଶିଷ୍ଟ ସାହିତ୍ୟିକ ଡଃ. ବିଭୂତି ପଟ୍ଟନାୟକ ସମ୍ବର୍ଦ୍ଧିତ
ଭୁବନେଶ୍ୱର (ଶାସକ ପ୍ରଶାସକ) - ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ପ୍ରାଚୀନ କଳିଙ୍ଗ ସମ୍ରାଟ ଐର ଖାରବେଳଙ୍କର ଏହା ଥିଲା ରାଜଧାନୀ ଓ ଦୁର୍ଗ । ଏହି ମହାନ୍ ସମ୍ରାଟଙ୍କ ପରାକ୍ରମ, ସୁ-ଶାସନ ଓ ଲୋକପ୍ରିୟତା କଳିଙ୍ଗ ରାଜ୍ୟକୁ ଏକ ସମୃଦ୍ଧ ଓ ଅଗ୍ରଣୀ ରାଜ୍ୟ ଭାବେ ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ କରିଥିଲା, ଯାହାର ମୁକସାକ୍ଷୀ ହେଉଛି ବର୍ତମାନର ଶିଶୁପାଳଗଡ । ଓଡିଶାର ଇତିହାସ, ସଭ୍ୟତା, ସଂସ୍କୃତି, କଳା, ଭାସ୍କର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ସମ୍ରାଟ ଖାରବେଳଙ୍କ ଅବଦାନ ଅତୁଳନୀୟ ରହିଥିଲା । ଆଜି ସେହି ସ୍ମୃତିକୁ ପାଥେୟ କରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଧାନୀ ଭୁବନେଶ୍ୱରରେ ଏକ ପ୍ରମୁଖ ପ୍ରାଶାସନିକ ସୌଧକୁ ଖାରବେଳ ନାମରେ ନାମିତ କରି ପ୍ରାଚୀନ କଳିଙ୍ଗର ଐତିହ୍ୟକୁ ଉଜ୍ଜୀବିତ କରିଛନ୍ତି ବୋଲି ଆଜି ସଂଧ୍ୟାରେ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକଠାରେ ‘କଳିଙ୍ଗ ଐତିହ୍ୟ ଓ ସଂସ୍କୃତି ସୁରକ୍ଷା ମଂଚ (କାପୋକ)’ ତରଫରୁ ଅନୁଷ୍ଠିତ ୭ମ ଶିଶୁପାଳଗଡ ମହୋତ୍ସବରେ ଯୋଗଦେଇ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି ।
ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଂଗୀତ ପରିବେଷଣ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାପୋକ ଅନୁଷ୍ଠାନର ସଭାପତି ତଥା ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ କାରିଗରୀ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ଖାରବେଳ ଭବନ ପାଇଁ ଆମେ ଗର୍ବିତ । ଆମର ପ୍ରାଚୀନ କୀତିରାଜିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ରାଜ୍ୟ ସରକାର ଐତିହ୍ୟ ପ୍ରକଳ୍ପ ଜରିଆରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀକ୍ଷେତ୍ରର ସୌନ୍ଦର୍ୟକରଣ, ଏକାମ୍ର ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ମନ୍ଦିର ଓ ପାରିପାଶ୍ୱିକ କ୍ଷେତ୍ରର ବିକାଶ ଉପରେ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଆମେ ଆମର ଐତିହ୍ୟ, ସଂସ୍କୃତି ଓ ପୂର୍ବସୂରୀମାନଙ୍କ ସଂପର୍କରେ ଅଧିକରୁ ଅଧିକ ଅନୁଧ୍ୟାନ କରି ଓ ବର୍ତମାନ ତଥା ଆଗାମୀ ପିଢିମାନଙ୍କ ନିକଟରେ ସେସବୁ ଉପସ୍ଥାପନ କରିବାର ସମୟ ଆସିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀରରଂଜନ ଦାଶ ଯୋଗଦେଇ କହିଲେ ଯେ, ଆମେ ହେଉଛୁ ସମ୍ରାଟ ଖାରବେଳଙ୍କ ଦାୟାଦ । କଳିଙ୍ଗର ପୂର୍ବ ଐତିହ୍ୟ ମନେ ପକାଇ ଆମ ରାଜ୍ୟକୁ ଭାରତ ବର୍ଷର ଏକ ବିକଶିତ ରାଜ୍ୟ ଭାବେ ଗଢିତୋଳିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ‘ଓଡିଶା ମୋ ପରିବାର’ ର ଅଧ୍ୟକ୍ଷ ଶ୍ରୀ ଅରୂପ ପଟ୍ଟନାୟକ ଓଡିଆ ଭାଷା ଓ ସଂସ୍କୃତିକୁ ଭଲପାଇବା ଓ ଐତିହ୍ୟର ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଲବ୍ଧ ପ୍ରତିଷ୍ଠିତ ଲେଖକ, ସାହିତ୍ୟିକ ତଥା ଔପନ୍ୟାସିକ ଡଃ. ବିଭୁତି ପଟ୍ଟନାୟକଙ୍କୁ ଶିଶୁପାଳଗଡ ସମ୍ମାନରେ ଅନୁଷ୍ଠାନ ତରଫରୁ ସମ୍ବଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ କବି ଡଃ. ହୁସେନ ରବି ଗାନ୍ଧୀ, ଓଡିଶା ମୋ ପରିବାରର ରୁଦ୍ର ନାରାୟଣ ସାମନ୍ତରାୟ, ସାମାଜିକ ଅନୁଷ୍ଠାନସମୂହ ମିଶନ ଆଶ୍ରା, ସମର୍ପିତ ଓଡିଶା, ନିସ୍ୱାର୍ଥ ସେବା, ମିଶନ ରକ୍ତଦାନ, ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ, ରକ୍ତଦାତା ଗୌରୀ ପ୍ରସାଦ ଦାଶ, ଖ୍ୟାତି ସମ୍ପନ୍ନ ପଟ୍ଟଚିତ୍ର ଶିଳ୍ପୀ ବିଜୟ ପରିଡା, ସମାଜସେବୀ ଅମରେନ୍ଦ୍ର ଗରାବଡୁ, ଓଡିଶୀ ନୃତ୍ୟଗୁରୁ ପୁଷ୍ପାଞ୍ଜଳି ନାୟକ ଆଦିଙ୍କୁ ଶିଶୁପାଳଗଡ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି ଉପଲକ୍ଷେ କଳିଙ୍ଗ ଐତିହ୍ୟ ଓ ସଂସ୍କୃତି ସୁରକ୍ଷା ମଂଚ (କାପୋକ) ତରଫରୁ ପ୍ରକାଶିତ ‘ଶିଶୁପାଳଗଡ-ଦି ଲସ୍ଟ ସିଟି’ ସ୍ମରଣିକାକୁ ଅତିଥିମାନେ ଉନ୍ନୋଚନ କରିଥିଲେ । କାର୍ଯ୍ୟକ୍ରମରେ କାପୋକ ଅନୁଷ୍ଠାନର ସଭ୍ୟ ରବୀନ୍ଦ୍ର କୁମାର ପାତ୍ର ଏବଂ ସୁବାସ ସୁନ୍ଦରାୟଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ସାଇକଳା ସଂସଦ, ଭୁବନେଶ୍ୱର ତରଫରୁ ଓଡିଶୀ ନୃତ୍ୟ ଓ ଅନ୍ୟ ଅନୁଷ୍ଠାନ ତରଫରୁ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାପୋକର ସମ୍ପାଦକ ଶ୍ରୀ ଚିତରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି, ପ୍ରତିବର୍ଷ ଶିଶୁପାଳଗଡସ୍ଥିତ ଦଶହରା ପଡିଆରେ ଅନୁଷ୍ଠିତ ହୋଇଆସୁଥିବା ଶିଶୁପାଳଗଡ ମହୋତ୍ସବ, ଚଳିତ ବର୍ଷ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ହୋଟେଲ କଳିଙ୍ଗ ଅଶୋକଠାରେ ଅନୁଷ୍ଠିତ ହୋଇଥିଲା ।