ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ବିଦ୍ୟାଳୟଗୁଡ଼ିକରେ ଅଧୟୟନରତ ୧୦ମ ଶ୍ରେଣୀ ରେଗୁଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ପରୀକ୍ଷା ଦର୍ପଣ’ ପୁସ୍ତକ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକଗୁଡ଼ିକୁ ୧୧ ହଜାର ପୁସ୍ତକ ଆଜି ପ୍ରେରଣ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ, କାର୍ଯ୍ୟାଳୟ ସହାୟକ ସୀତାଂଶୁ ଶେଖର ପାତ୍ର, ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖଙ୍କ ସଂଯୋଜନାରେ ଏହି ପୁସ୍ତକ ବଣ୍ଟନ କରାଯାଉଛି । ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ୪୨ ହଜାର ପୁସ୍ତକ ବଣ୍ଟନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ଉକ୍ତ ପୁସ୍ତକ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଉପାଦେୟ ହୋଇ ପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଆଶାବାସୀ ରହିଛନ୍ତି ।