ହେଡଲାଇନସ୍:

ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଅନାବରଣ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିର ଅନାବରଣ କେନ୍ଦ୍ର ପେଟ୍ରୋଲିୟମ ଏବଂ ରାସାୟନିକ ସାର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ହୋଇଯାଇଛି। ଏହିଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିବା ସହ କହିଥିଲେ ଯେ ଏହି ମୂର୍ତ୍ତି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। 

ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୩ତମ ଜୟନ୍ତୀ ସାରା ଓଡ଼ିଶାରେ ପାଳନ କରାଯାଉଛି। ନିଜର ହକ ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ି ଦୀର୍ଘ ୩୭ ବର୍ଷ ଜେଲରେ ରହିବା ଭାରତ କାହିଁକି, ସାରା ପୃଥିବୀରେ ବିରଳ। ଏହି ବରପୁତ୍ରଙ୍କ ଜନ୍ମଦିନ ଅବସରରେ ସାରା ରାଜ୍ୟ ଆଜି ତାଙ୍କୁ ମନେ ପକାଉଛି। ଝାରସୁଗୁଡ଼ା ବିମାନବନ୍ଦରରକୁ ତାଙ୍କ ନାମରେ ନାମିତ କରାଯାଇଥିବା ବେଳେ ତାଙ୍କର ପ୍ରତିମୂର୍ତ୍ତି ଏପର୍ଯ୍ୟନ୍ତ ସ୍ଥାପିତ ହୋଇ ପାରି ନଥିଲା। ଆଜି ତାଙ୍କ ଜନ୍ମଦିନ ଅବସରରେ ଏହି ବିଶାଳ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ଶ୍ରୀ ପ୍ରଧାନ। ଏହା ବ୍ୟତୀତ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ନିଜ ଅଭିଭାଷଣରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦର ଆସନ୍ତା ସମୟରେ ପୂର୍ବ ଭାରତର ମୁଖଶାଳା ହେବ। ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିକାଶରେ ସମସ୍ତଙ୍କୁ ଯୋଡ଼ିହେବା ପାଇଁ ସେ ଆହ୍ବାନ ଦେଇଥିଲେ। 

ଆଜି ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ବରଗଡ଼ ଏମପି ଶ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ଏମପି, ରେଙ୍ଗାଲି, ସୁନ୍ଦରଗଡ଼ର ବିଧାୟକ, ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ଓ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault