ରାୟଗଡ(ସରୋଜ କୁମାର ସାହୁ ) : ପ୍ରେସ ୟୁନିୟନ ରାୟଗଡାର ୫ମ ପ୍ରତିଷ୍ଠା ଦିବସ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଫୋଟଚିତ୍ର ଓ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝୀଘରିଆଣୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହ ଉତ୍କଳ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରଥମେ ସୀମାର ଶହୀଦ ହୋଇଥିବା ଜବାନ ଏବଂ କରୋନା ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ସ୍ମୃତି ଉଦ୍ୟେଶରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରେସ ୟୁନିୟନର ସାଧାରଣ ସଂପାଦକ ସଂଘର ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ସଂଘ କେଉଁ ସବୁ ଜନହିତକର କାର୍ଯ୍ୟକ୍ରମ ୟୁନିୟନ ଜାରୀ ରଖିବା ସେ ନେଇ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଓଡିଆ ଭାଷାର ସୁରକ୍ଷା ପାଇଁ ପ୍ରଚାର ପ୍ରସାର କରାଯିବା ସହ ଓଡିଆ ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ଦାବୀ ଉପସ୍ଥାପନ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ ସଂପାଦକ ଶ୍ରୀ ଦାଶ । ଏହା ପରେ ସଂଘର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବାର୍ତା ଖବର କାଗଜର ସଂପାଦକ ତଥା ଭାଷା ଆନ୍ଦୋଳନର ଓଡିଶାର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସତ୍ୟ ଖବର ପରିବେଷଣ ହିଁ ସାମ୍ବାଦିକର ଧର୍ମ ବୋଲି ପ୍ରକାଶ କରିଥିଲେ । ବର୍ତମାନ ସୁ୍ଦ୍ଧା ଓଡିଶାରେ ପ୍ରକୃତ ସାମ୍ବାଦିକ ଚିହ୍ନଟ ହୋଇପାରୁନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଯେଉଁଠି ଲକ୍ଷ ଲକ୍ଷ ପକ୍ଷୀ ଗଣନା ହୋଇପାରୁଛି, ଯେଉଁଛି ବାଘ ଗଣନା ହୋଇପାରୁଛି, ତା ହେଲେ ସାମ୍ବାଦିକ କାହିଁକି ଚିହ୍ନଟ ହୋଇପାରୁନାହଁ ବୋଲି ପ୍ରଶ୍ନ କରିଥିଲେ ମୂଖ୍ୟ ଅତିଥି ଶ୍ରୀ ଶତପଥୀ । ସେହିପରି ମୁଖ୍ୟବକ୍ତା ଭାବେ ଖୋଲାଫର୍ଦ ଖବର କାଗଜର ସଂପାଦକ ଶ୍ରୀ ବିମଳ କୁମାର ଭଞ୍ଜଦେଓ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଛୋଟ ଖବରକାଗଜର ସ୍ରୋତ ଖୁବ ପ୍ରଖର । ବହୁ ତଥ୍ୟଭିତିକ ଖବରକୁ ଛୋଟ ଖବର କାଗଜର ସାମ୍ବାଦିକ ମାନେ ହିଁ ପ୍ରଥମେ ଲୋକଲୋଚନକୁ ଆଣିଥାନ୍ତି । ନିଜ ଅଂଚଳ ତଥା ରାଜ୍ୟର ପ୍ରଗତିରେ ସାମ୍ବାଦିକ ମାନେ ସହାୟକ ହେବେ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ । ସେହିପରି ସମ୍ମାନୀୟ ଅତିଥି ଭାବେ ସମଦୃଷ୍ଟିର କାର୍ଯ୍ୟକାରୀ ସଂପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ ସାମ୍ବାଦିକ ଏବଂ ଖବରକାଗଜର ମାଲିକ ମାନେ ପ୍ରଶାସନ ସହ ତାଳମେଳ ରଖନ୍ତୁ, ସାମ୍ବାଦିକ ମାନେ ପ୍ରଶାସନର କ୍ରୀଡନକ ନ ହୁଅନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟତମ ସମ୍ମାନୀତ ଅତିଥି ଉପ-ସଭାପତି ଓଡିଶା ନାଗରିକ ମହାମଂଚ, ଭାଷା ଆନେ୍ଦାଳନର ପୁରୋଧା ଶ୍ରୀ ବିଜୟ କୁମାର ପରିଡା ସାମ୍ବାଦିକ ମାନଙ୍କ ବିଭିନ୍ନ ସମୟରେ ଭୋଗୁଥିବା ଅସୁବିଧା ସଂପର୍କରେ ଆଲୋକପାତ କରିଥିଲେ । ଏହା ସହ ବର୍ତମାନ ସମ୍ବାଦ ପତ୍ରର ମାଲିକ ମାନେ ସରକାରଙ୍କ ପାଖରେ ବିକ୍ରୀ ହୋଇ ସାରିଲେଣି ବୋଲି ଅତି କ୍ଷୋଭର ସହ ପ୍ରକାଶ କରିଥିଲେ । ଏହି ଅବସରରେ ନିମନ୍ତ୍ରୀତ ଅତିଥି ମାନଙ୍କୁ ୟୁନିୟନ ତରଫରୁ ଉତରିୟ ଓ ଜିଲ୍ଲାର ଆଦିବାସୀଙ୍କ ଦ୍ୱାରା ଅଙ୍କା ଯାଇଥିବା ଇଡତାଲ ତୈଳଚିତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହା ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ପାଇଁ ଯଥା ରକ୍ତଦାନ ପାଇଁ ଶ୍ରୀମତି ପ୍ରମୋଦା ଦାସ, ବୃକ୍ଷରୋପଣ ପାଇଁ ବନ-ସହାୟକ ସୂର୍ଯ୍ୟ ନାରାୟଣ ମିଣିଆକା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିକିରିର ନିରଞ୍ଜନ ନାୟକ ଓ ସମ୍ବାଦ ପତ୍ର ବିତରକ ସତ୍ୟନାରାୟଣ ପଣ୍ଡାଙ୍କୁ ମାନପତ୍ର ଓ ଉତରିୟ ଦେଇ ଉପସ୍ଥିତ ଅତିଥି ମାନେ ସମ୍ବର୍ଦିତ କରିଥିଲେ । ପ୍ରଥମେ ୟୁନିୟନ ତରଫରୁ ସ୍ଥାନୀୟ ବୃଦ୍ଧାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପଂଚବଟୀର ସଂପାଦକ ସୁଶାନ୍ତ ନାୟକ, ବରିଷ୍ଠ ନାଗରିକ ମଙ୍ଗଳ ସଂଘର ଉପଦେଷ୍ଟା ନରିସଂହ ନାଥ ପାଢୀ, ସଭାପତି ବିନୋଦ ପଣ୍ଡା, କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା, ବିଜେପି ନଗର ସଭାପତି ଶ୍ୟାମ କୁମାର ଦାଶ, ଜେକେ କାଗଜ କଳ ତରଫରୁ ବରିଷ୍ଠ ପ୍ରବନ୍ଧକ ସୁନିଲ କୁମାର ନାଥ, ମିଲନ ଲେଙ୍କା, ଇମ୍ପା କାରଖାନାର ବରିଷ୍ଠ ପ୍ରାବନ୍ଧିକ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଉକ୍ରଳ ଆଲୁମିନା କଂପାନୀର ବରିଷ୍ଠ ପ୍ରବନ୍ଧକ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶନୀ, ତନ୍ମୟ ମହାନ୍ତି, ମିଲର୍ସ ଆସୋସିଏସନର ସଭାପତି କାଶି ନାଇଡୁ, କିନ୍ତାଲି ଅମରନାଥ, ଦେବାଶିଷ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉଦଘୋଷିକା ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ରଶ୍ମି ରଂଜନ ଦୋରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।