ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର-ପାଳିକା ଆନୁକୂଲ୍ୟରେ ପୌର-ପାଳିକାର ସମ୍ମିଳନୀ କକ୍ଷ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଅବସରରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ପୌର-ପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ "ସ୍ୱଚ୍ଛ ଭାରତ ” କାର୍ଯ୍ୟକ୍ରମର ଅନ୍ତର୍ଗତ ଏଥିରେ କଠିନ , ତରଳ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଏଥିରେ ଶ୍ରୀ ରାଉତ ପୌରପାଳିକା ଦ୍ୱାରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମାନ ପ୍ରଦାନ କରିଥିଲେ ।
ଗତ କିଛିମାସ ଧରି ପାରଳାଖେମୁଣ୍ଡି ସହରର ସାହିବସ୍ତି ଅଞ୍ଚଳରୁ ବ୍ୟାଟେରୀ ଚାଳିତ ୩ ଚକିଆ ଗାଡି ମାନଙ୍କରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ସବୁକୁ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରରେ ପ୍ରକ୍ରିୟାକରଣ କରାଯାଉଛି । ଏହି କମ୍ପୋଷ୍ଟ ଖତକୁ ଜିଲ୍ଲାର କୃଷି-ଉଦ୍ୟାନ ଓ ବନ ବିଭାଗର କାର୍ଯ୍ୟକ୍ରମରେ ତାହା ଅନ୍ତର୍ଭୁକ୍ତ କରାଯାଉଛି ।
ବିଶେଷତଃ ଭାବେ ତରଳ ବର୍ଜ୍ୟବସ୍ତୁ ବିଭିନ୍ନ ପ୍ରକ୍ରିୟାକରଣ ମାଧ୍ୟମରେ ପ୍ରସ୍ତୁତ କରାଯାଇ ପରିବେଶ ମୁକ୍ତ କରାଯିବା ଦିଗରେ ଯୋଜନା ହାତକୁ ନିଆଯାଇଛି ଏବଂ ପାରଳାଖେମୁଣ୍ଡି ଜନସାଧାରଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ପାଇଁ କହିଥିଲେ ।
ଏଥିସହିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବିକେନ୍ଦ୍ରିକରଣ କରିବା ପାଇଁ ପାରଳାଖେମୁଣ୍ଡି ସହରର ପ୍ରତ୍ୟେକ ୱାର୍ଡରେ ୨ ଜଣ ଲେଖାଏଁ ପରାମର୍ଶ ଦାତା ରହିବେ । ସମସ୍ତଙ୍କ ଠାରୁ ଆନୁସଙ୍ଗିକ ମତାମତ ଗୁଡିକ "ସ୍ୱଚ୍ଛତା” ପ୍ରସଙ୍ଗ ଉପରେ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ରାଜ୍ୟ ସ୍ତରରେ ଅନ୍ୟର ମୋଟ ୩୦ ଗୋଟି ପୌର-ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି) ମଧ୍ୟରେ ପାରଳାଖେମୁଣ୍ଡି ପୌରପାଳିକା ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳକୁ ସ୍ୱଚ୍ଛତା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ରାଉତ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୌର-ପାଳିକାର ସହକାରୀ ଯନ୍ତ୍ରୀ ଶ୍ରୀ ସଞ୍ଜୀବ ଚମ୍ପତ୍ତିଙ୍କ ସମେତ ଶ୍ରୀ ନକୁଳ ବିଶୋଇ , ମନୋଜ କୁମାର ସିବାଲା , କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ , କର୍ମଚାରୀ ଶ୍ରୀ ଲକ୍ଷ୍ମଣ ରାଓ , ଇନ୍ଦିରା ଗୌଡ଼ , ବରିଷ୍ଠ ନାଗରିକ ଭାବେ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ଜଗଦୀଶ ମହାପାତ୍ର , ଇଂ. ଲକ୍ଷ୍ମୀ ନୃସିଂହ ରଥ , ଶ୍ରୀ ଭଗବତ ପାଢ଼ୀ ପ୍ରମୁଖ , ସେହିଭଳି ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜଗନ୍ନାଥ ରାଜୁ ଏବଂ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ।